ତାଲିବାନକୁ ଭେଟିଲା ମସୁଦ ଆଝାର, କାଶ୍ମୀରରେ ଆତଙ୍କୀ ଗତିବିଧି ପାଇଁ ଲୋଡିଲା ସହାୟତା

Published By : Prameya-News7 Bureau | August 27, 2021 IST

କାବୁଲ ୨୭।୦୮: ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାର ଆଫଗାନିସ୍ତାନର କାନ୍ଧାର ଯାଇ ତାଲିବାନୀ ନେତାଙ୍କୁ ଭେଟିଛି। ଭାରତରେ ଅନେକ ଆତଙ୍କୀ ଆକ୍ରମଣର ଦୋଷୀ ମସୁଦ କାଶ୍ମୀରରେ ନିଜର ହୀନ ଉଦ୍ଦେଶ୍ୟର ଚରିତାର୍ଥ ପାଇଁ ତାଲିବାନର ସହାୟତା ଲୋଡିଛି। ବିଶ୍ଵସ୍ତ ସୂତ୍ରରୁ ଏହା ଜଣା ପଡିଛି।

ଇଣ୍ଡିଆ ଟୁଡେ ଅନୁଯାୟୀ, ମସୁଦ ଆଝାର ତାଲିବାନ ତାଲିବାନ ରାଜନୈତିକ ଶାଖାର ପ୍ରମୁଖ ମୌଲାନା ଅବଦୁଲ ଗନି ବରାଦରଙ୍କୁ ଭେଟିଛି। କାଶ୍ମୀର ଘାଟିରେ ଜୈଶ ଇ ମହମ୍ମଦର ଗତିବିଧି ବଢାଇବା ପାଇଁ ଆଝାର ତାଲିବାନର ସହାୟତା ଲୋଡିଛି। ନିକଟରେ ମସୁଦ ଆଝାର ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଖୁସି ପ୍ରକାଶ କରିଥିଲା। ଆଫଗାନିସ୍ତାନରେ ତାଲିବାନ ଶାସନକୁ ମଧ୍ୟ ଆଝାର ସ୍ଵାଗତ କରିଛି।

ପ୍ରକୃତରେ ଭାରତକୁ ଟାର୍ଗେଟ୍ କରି ଆସୁଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଓ ତାଲିବାନ ମଧ୍ୟରେ ଏହି ମେଣ୍ଟ ଇମ୍ରାନଙ୍କ ପାଇଁ ଖୁସି ଖବର। ପାକିସ୍ତାନ ଆଶା ରଖିଛି ଯେ, ତାଲିବାନରାଜରେ ସେ ସହଜରେ  ଭାରତ ବିରୋଧରେ ଆତଙ୍କୀ କ୍ୟାମ୍ପ ପରିଚାଳନା କରି ପାରିବ। କାଶ୍ମୀରରେ ଆତଙ୍କୀ ଗତିବିଧି ପାଇଁ ଆଫଗାନିସ୍ତାନ ସରକାରକୁ ଉଖାଡି ଫିଙ୍ଗିଥିବା ତାଲିବାନର ସହଯୋଗ ଚାହୁଁଛି ଜୈଶ ଇ ମହମ୍ମଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.