ଜେଲ୍ ଭରୋ ଆନ୍ଦୋଳନ: ଜିଲ୍ଲାପାଳଙ୍କ ଅଫିସ୍କୁ ଧସେଇ ପଶିଲେ ଆଶା କର୍ମୀ
14/12/2022 at 4:49 PM

ନବରଙ୍ଗପୁର ୧୪/୧୨: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଶାକର୍ମୀ। ଗତ ୧୦ଦିନ ହେଲା ୭ ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆଶାକର୍ମୀ ସଂଘ ଧାରଣାରେ ବସିଥିଲା। ରାଜ୍ୟ ଆଶାକର୍ମୀ ସଂଘର ନିଷ୍ପତ୍ତିରେ ଆଜି ଆଶାକର୍ମୀମାନେ ନବରଙ୍ଗପୁରରେ ଜେଲଭରୋ ଆନ୍ଦୋଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ।
ପରେ ପୋଲିସ ଆଶାକର୍ମୀ ମାନଙ୍କୁ ଆଣି ଥାନାରେ କିଛି ସମୟ ଅଟକ ରଖିଛାଡ଼ି ଦେଇଛି। ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ୧୮ ହଜାର ଟଙ୍କା ଦରମା, ଗ୍ରାଚୁଇଟି, ଇପିଏଫ, ଇ.ଏସ.ଆଇ.ସି ଲାଗୁ, ଅବସର ପରେ ୫ ଲକ୍ଷ ଟଙ୍କା ଓ ମାସିକ ୫ ହଜାର ଟଙ୍କା ପେନସନ ଯୋଜନା ଲାଗୁକରିବା ଇତ୍ୟାଦି ମୋଟ ୭ଟି ଦାବି ନେଇ ସେମାନେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ।

୧୦ ଦିନ ଧାରଣାରେ ବସିବା ପରେ ବି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଆଶାକର୍ମୀଙ୍କ ଦାବିକୁ ନେଇ ଆଲୋଚନା କରି ନାହାନ୍ତି। ତେଣୁ ଆଶାକର୍ମୀ ସଂଘ ପକ୍ଷରୁ ଆଜି ଜେଲଭୋର ଆନ୍ଦୋଳନ କରାଯାଇଛି। ୭ ଦଫା ଦାବି ଗୁଡିକ ପୂରଣ ନହେଲା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି ଆଶାକର୍ମୀ ସଂଘର ସଭାନେତ୍ରୀ ଗୀତାଞ୍ଜଳି ହରିଜନ କହିଛନ୍ତି।