ଜୟ ଶାହଙ୍କ ଭବିଷ୍ୟତବାଣୀ- ରୋହିତଙ୍କ ନେତୃତ୍ଵରେ ଭାରତ ଜିତିବ ଆଉ ୨ଟି ଆଇସିସି ଟ୍ରଫି

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ରେ ଚାମ୍ପିଅନ ହୋଇଛି। ଜୁନ ୨୯ରେ ବାର୍ବାଡୋସରେ ଖେଳା ଯାଇଥିବା ଫାଇନାଲ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ୧୭ ବର୍ଷ ପରେ ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଛି। ଭାରତ ଏଥର ଟ୍ରଫି ଜିତିବ ବୋଲି କିଛି ମାସ ପୂର୍ବରୁ ରାଜକୋଟରେ ଭବିଷ୍ୟତବାଣୀ କରିଥିଲେ ବିସିସିଆଇ ସଂପାଦକ ଜୟ ଶାହ। ଏହି କ୍ରମରେ ଆଜି ଜୟ ଶାହ ଆଉ ଦୁଇଟି ଭବିଷ୍ୟତବାଣୀ କରିଛନ୍ତି। ବିସିସିଆଇ ସଂପାଦକଙ୍କ କହିବା କଥା ଭାରତ ଆଗାମୀ ଦିନରେ ୨ଟି ଆଇସିସି ଟ୍ରଫି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଓ ଚାମ୍ପିଅନ୍ସ ଟ୍ରଫି ରୋହିତ ଶର୍ମାଙ୍କ ନେତୃତ୍ଵରେ ଜିତିବ। ଗତ ୧୨ ମାସରେ ଭାରତ ୩ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚି ଥିବା ବେଳେ ଦୁଇଟିରେ ପରାସ୍ତ ହୋଇଥିଲା।

ଜୟ ଶାହ ଟି-୨୦ ବିଶ୍ଵକପ୍ ୨୦୨୪ର ବିଜୟକୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ସମର୍ଥିତ କରିଛନ୍ତି। ଏହି ତିନି ଖେଳାଳିଙ୍କ ଏହା ଶେଷ ଟି-୨୦ ବିଶ୍ଵକପ୍ ଥିଲା। ରାହୁଲ ଦ୍ରାବିଡ଼ଙ୍କ ମୁଖ୍ୟ କୋଚ୍ ଭାବେ ଏହା ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ଭାରତ ଚାମ୍ପିଅନ ହେବା ସହ  କୋହଲି, ରୋହିତ ଓ ଜାଡ଼େଜା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତେବେ ଆଗାମୀ ଦିନରେ ରୋହିତଙ୍କ ନେତୃତ୍ଵରେ ଭାରତ ଆଉ ଦୁଇଟି ଆଇସିସି ଟ୍ରଫି ଜିତିବ। 

Also read: ୧୧୬ ରନ୍‌ କରିପାରିଲାନି ଟିମ୍‌ ଇଣ୍ଡିଆ, ୧୩ ରନ୍‌ରେ ହରାଇଲା ଜିମ୍ବାଓ୍ୱେ

ଜୟ ଶାହ କହିଛନ୍ତି, ଭାରତୀୟ ଦଳର ଏହି ଐତିହାସିକ ବିଜୟ ପାଇଁ ଅନେକ ଅନେକ ଶୁଭକାମନା। ଏହି ବିଜୟକୁ କୋଚ୍ ରାହୁଲ ଦ୍ରାବିଡ଼, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ସମର୍ଥିତ କରିବାକୁ ଚାହୁଁଛି। ଗତ ଏକ ବର୍ଷରେ ଏହା ଆମର ତୃତୀୟ ଫାଇନାଲ୍ ଥିଲା। ୨୦୨୩ ଜୁନରେ ଆମେ ଡବ୍ଲ୍ୟୁଟିସି ଫାଇନାଲ୍‌ ହାରିଥିଲୁ। ପୁଣି ସେହି ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ଵକପ୍‌ରେ ୧୦ ବିଜୟ ପରେ ବି ଆମେ କପ୍ ଜିତିପାରିଲୁ ନାହିଁ। ଏହା ପରେ ମୁଁ ରାଜକୋଟରେ କହିଥିଲି ଆମ ଦଳ ୨୦୨୪ ଜୁନରେ ହୃଦୟ ଜିତିବୁ, କପ୍ ଜିତିବୁ। ଅଧିନାୟକ ରୋହିତ ଶର୍ମା ଏହା କରି ଦେଖାଇଛନ୍ତି।

ଜୟ ଶାହ ଶେଷ ୫ ଓଭରରେ ମ୍ୟାଚ୍ ପଲଟାଇ ଦେଇଥିବା ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ୪ ଖେଳାଳି ଶେଷ ୫ ଓଭରରେ ଅବିଶ୍ଵସନୀୟ  ପ୍ରଦର୍ଶନ କରି ଦଳକୁ ଟ୍ରଫି ଜିତାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.