ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିଜୟ ହାସଲ କରିଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ହରାଇ ସେ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଧନଖଡ ଏବେ ଭେଙ୍କେୟା ନାଇଡୁଙ୍କୁ ସ୍ଥାନ ନେବେ। ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୧୫ ଭୋଟ୍ ନାକଚ୍ ହୋଇଛି। ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ଧନଖଡ ବିରୋଧୀ ପ୍ରାର୍ଥୀଙ୍କୁ ୩୪୬ ଖଣ୍ଡ ଭୋଟରେ ହରାଇଛନ୍ତି। ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେଉଛି।
ନିର୍ବାଚନ ଆୟୋଗ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଧନଖଡ ବିଜୟୀ ହେବେ ବୋଲି ପୂର୍ବରୁ ସ୍ପଷ୍ଟ ହୋଇ ସାରିଥିଲା। ବାସ୍ ନାମକୁ ମାତ୍ର ଔପଚାରିକ ଘୋଷଣା ବାକି ରହିଥିଲା। ଶନିବାର ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦର ମୋଟ୍ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ମତାଧିକାର ସାବ୍ୟସ୍ତ କରିଥିଲେ। ଟିଏମସିର ୩୪ ସାଂସଦ, ଏସପି ଏବଂ ଶିବସେନାର ଦୁଇ ଜଣ ଏବଂ ବିଏସପିର ଜଣେ ସାଂସଦ ଭୋଟିଂରୁ ବିରତ ରହିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା ଏବଂ ଏହାର ଘଣ୍ଟାଏ ପରେ ଅର୍ଥାତ ୬ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା।
ଏଥିସହ ରାଷ୍ଟ୍ରପତି ପରେ ଉପରାଷ୍ଟ୍ରପତି ନିର୍ବାଚନ ପର୍ବରେ ଯବନିକା ପଡିଛି। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଅନେକ ନେତା ଶୁଭେଚ୍ଛା ଜଣାଇଛନ୍ତି। ଧନଖଡଙ୍କ ଉପ ରାଷ୍ଟ୍ରପତି ହେବା ନେଇ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବର ମାହୋଲ ଲାଗି ରହିଛି। ସୂଚନାଯୋଗ୍ୟ, ଜଗଦୀପ ଧନଖଡ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ।
ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସହଜ ବିଜୟ ହାସଲ କରିଥିଲେ। ସେ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ହରାଇ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ବି ଏନଡିଏ ବାଜିମାତ୍ କରିଛି।