ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରୀୟା: ବଂଶାନୁକ୍ରମିକ ସେବା ଉଚ୍ଛେଦ ସମେତ ୩ଟି ପ୍ରସଂଗରେ କାହିଁକି ହେଉନି ସହମତି ବୁଝିୁଲେ ଆମିକସ୍ କ୍ୟୁରୀ
21/09/2018 at 6:57 PM

୨୧|୯: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ କରିଛନ୍ତି। ତେବେ ଏହା ପୂର୍ବରୁ ଗୋପାଳ ସୁବ୍ରମଣ୍ୟମ ଜଣେ ସାଧାରଣ ଭକ୍ତ ଭାବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।
ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ବେଳେ ଶ୍ରୀଜୀଉଙ୍କ କଲେ ଦର୍ଶନ। ତାପରେ ଆରମ୍ଭ ହେଲା ସରକାରୀ କାର୍ଯ୍ୟ। ଶ୍ରୀମନ୍ଦିର ସଂସ୍କାର ପାଇଁ ପୁରୀ ଆସିଛନ୍ତି ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ସହ ବସିଥିଲା ବୈଠକ । ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ସେବାୟତ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ୧୨ ଟି ପ୍ରସ୍ତାବ ନେଇ ବୈଠକରେ ଆଲୋଚନା ହୋଇଥିଲା । ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା, ଶୃଖଂଳିତ ଦର୍ଶନ ଓ ଜଗନ୍ନାଥ ମନ୍ଦିରର ୧୯୫୪ ଅଧିନିୟମରେ ସଂଶୋଧନ ଭଳି ୩ଟି ପ୍ରସ୍ତାବ ଉପରେ କାହିଁକି ସହମତି ହୋଇପାରୁନି ସେନେଇ ପଚାରି ବୁଝିଥିଲେ ଆମିକସକ୍ୟୁରୀ ।
ଆମିକସ କ୍ୟୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଥିଲେ । ଶ୍ଳୋକ ଓ ବନ୍ଦନା ମାଧ୍ୟମରେ ଜଗତଗୁରୁଙ୍କୁ ପ୍ରଣିପାତ କରିଥିଲେ। ଏହାପରେ ଚାଲିଥିଲା ଆଲୋଚନା। ସ୍ପେଶାଲ ସର୍କିଟ ହାଉସରେ ରାଜ୍ୟ ସରକାର ଗଠନ କରିଥିବା ତିନି ଜଣିଆ କମିଟି ସହ ଆମିକସ ଆଲୋଚନା କରିଥିଲେ ।
ଶନିବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିବେ ଆମିକସ କ୍ୟୁରୀ । ଏହା ପରେ ପୁରୀ ବିଧାୟକ, ସାଂସଦ, ଆଡଭୋକେଟ ଜେନେରାଲଙ୍କ ସହ ଆଲୋଚନା କରିବେ।