ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିଜେ କଲେ ଚତୁର୍ଦ୍ଧା ମୂରତି, କାଲିଠୁ ମିଳିବ ଆଡପ ଅବଢା

Published By : Prameya-News7 Bureau | July 02, 2022 IST

ପୁରୀ: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂରତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବଡ ଠାକୁର ଜଗନ୍ନାଥ  ଜନ୍ମବେଦୀକୁ ଯାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି।

{"id":650816,"sizeSlug":"full","linkDestination":"none"}

ରତ୍ନବେଦୀରୁ ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତୀ । ଦୁଇ ବର୍ଷର କରୋନା କଟକଣା ପରେ ଐତିହାସିକ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି।  ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ। ଶନିବାର ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା। ମାଘସ୍ନାନ, ସଂଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା। ଗତକାଲି ପରି ଆଜି ମଧ୍ୟ ସଅଳ ନୀତି ହୋଇଥିଲା । 

{"id":650817,"sizeSlug":"full","linkDestination":"none"}

ପ୍ରଥମେ ବଳଭଦ୍ର ପହଣ୍ଡି ବିଜେରେ ଆଡପମଣ୍ଡପରେ ବିଜେ କରିଥିଲେ। ଏହା ପରେ ଭଉଣୀ ସୁଭଦ୍ରା ଜନ୍ମବେଦୀକୁ ଫେରିଥିଲେ। ତେବେ ଜଗନ୍ନାଥଙ୍କ ପହଣ୍ଡି ସମୟରେ ବର୍ଷା ହୋଇଥିଲା। ଝିପି ଝିପି ବର୍ଷାରେ ଟାହିଆ ହଲାଇ ପହଣ୍ଡି ବିଜେ କରିଥିଲେ ମହାବାହୁ। ଜଗନ୍ନାଥ ଧ୍ଵନୀରେ ଉଚ୍ଛୁଳି ଉଠିଥିଲା ଶରଧାବାଲି ଓ ମାଉସୀ ମା ମନ୍ଦିର।

ମହାପ୍ରଭୁ ଆଡପ ମଣ୍ଡପରେ ଥିଲେ ବି ଭକ୍ତ ଦର୍ଶନ କରିପାରିବେ ନାହିଁ।ଆଡ଼ପ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ ହେବ। ଆସନ୍ତାକାଲି ଠାରୁ ଆଡ଼ପ ଅଭଡ଼ା ବାହାରିବ। ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.