ହାଇଦ୍ରାବାଦ ୨୦/୦୬: ଆନ୍ଧ୍ରପ୍ରଦେଶ ରାଜନୀତିରେ ହଲଚଲ୍ । ‘ହିଲ୍ ପ୍ୟାଲେସ୍’ରୁ ନେଇ ଚର୍ଚ୍ଚା । ପ୍ୟାଲେସ ସହ ବିବାଦରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ । ରୁଷିକୋଣ୍ଡା ପାହାଡ ଉପରେ ଗଢିଛନ୍ତି ୫୦୦ କୋଟି ଟଙ୍କାର ପ୍ୟାଲେସ ।
ରୁଷିକୋଣ୍ଡା ପ୍ୟାଲେସ, ଭାରତର ବିଳାସପୂର୍ଣ୍ଣ ଘର ମଧ୍ୟରୁ ଅନ୍ୟତମ । ଘରର ଚାରିପାଖେ ପାଚେରୀ ସହ କରାଯାଇଛି ବହୁ ଉଚ୍ଚର ବ୍ୟାରିକେଡ । ଯାହାକି ବାହାରକୁ ଘର ଭଳି ହେବିନ ଦୃଶ୍ୟମାନ । ସଂଗୀନ ଅଭିଯୋଗ ଆଣିଛି ରାଜ୍ୟର ଶାସକ ଦଳ ଟିଡିପି । ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ ବୋଲି ଦାବି କରିଛି ଟିଡିପି ।
ଅଟ୍ଟାଳିକାରେ ବିଛାଯାଇଛି ଇଟାଲିଆନ ମାର୍ବଲ ଓ ଟାଇଲ । ଘର ଭିତରେ ରହିଛି ୪୦ ଲକ୍ଷ ଟଙ୍କାର ଗାଧୁଆ କୁଣ୍ଡ । ୧୨ ଲକ୍ଷର ପାଇଖାନା । ଦେଖିଲେ ଲାଖିଯିବ ଆଖି । କୋଣ, ଅନୁକୋଣରେ ଲାଗିଛି ଦାମୀ ସାଜ ସରଞ୍ଜାମ । ଆସବାବପତ୍ର ବି କୋଟି କୋଟିର ।
ଶୋଇବା ଘରେ ବି ଦାମୀ ମସାଜ୍ ଟେବୁଲ୍ । ତେବେ ଜଗନ କ୍ଷମତାଚ୍ୟୁତ ହେବା ପରେ ଘେରିଛନ୍ତି ବିରୋଧୀ । ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଜଗନ ଏଭଳି କରିଛନ୍ତି ବୋଲି କହଛନ୍ତି ବିରୋଧ । ସେତିକି ନୁହେଁ ଘରେ ଖର୍ଚ୍ଚ ହୋଇଥିବା ଟଙ୍କା ସବୁ ସାଧାରଣ ଜନତାଙ୍କର ।
ସେପଟେ ଅଭିଯୋଗକୁ ଖଣ୍ଡନ କରିଛି ୱାଇଏସ୍ଆର କଂଗ୍ରେସ ପାର୍ଟି । ପାର୍ଟି କହିଛି କି ଏହା ଜଗନଙ୍କ ବ୍ୟକ୍ତିଗତ ଘର ନୁହେଁ । ସେଠାରେ ଜଗନ ରହୁନାହାନ୍ତି । ଏହା ସରକାରୀ ବଙ୍ଗଳା । ବର୍ତ୍ତମାନର ଟିଡିପି ସରକାର ଚାହିଁଲେ ଏହାକୁ ଯେକୌଣସି କାର୍ଯ୍ୟରେ ବ୍ୟବହାର କରିପାରିବେ ।
ବିଶାଖାପାଟଣାକୁ ରାଜଧାନୀ କରିବା ଲକ୍ଷ୍ୟରେ ଏଭଳି ଘର ନିର୍ମାଣ କରାଯାଇଥିଲା । କାରଣ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ଭିଭିଆଇପି ଆସିଲେ ସେମାନଙ୍କୁ ରହିବା ଲାଗି ସେଭଳି ଘର ନଥିଲା । ତେଣୁ ଭିଭିଆଇପିଙ୍କ ଉଦ୍ଦେଶ୍ୟରେ ରୁଷିକୋଣ୍ଡା ପାହାଡ ଉପରେ ଏଭଳି ଘର ନିର୍ମାଣ କରାଯାଇଥିଲା ।
କହିବାକୁ ଗଲେ ଏବେ ଋଣରେ ବୁଡିଛି ଆନ୍ଧ୍ରପ୍ରଦେଶ । ସୁଝିବାକୁ ଅଛି ୧୨ ଲକ୍ଷ କୋଟି ଟଙ୍କା । ରାଜ୍ୟର ଆର୍ଥିକ ଅବସ୍ଥାକୁ ଦେଖି ଏଭଳି ଖର୍ଚ୍ଚ ଅନୁପଯୁକ୍ତ ବୋଲି ଯୁକ୍ତି ବାଢିଛନ୍ତି ଅନେକ ଟିଡିପି ନେତା । ଏପରି ସ୍ଥିତିରେ ଜଗନମୋହନଙ୍କ ବିଳାସ ପୂର୍ଣ୍ଣ ଘର କଥା ଜଣାପଡିବା ପରେ ରାଜନୀତି ଜୋରଦାର ।