ଧ୍ବସାଂଭିମୁଖୀ ସର୍ବ ପୁରାତନ ଶଙ୍କରାନନ୍ଦ ମଠ : ଶଙ୍କରାଚାର୍ଯ୍ୟ କହିଲେ ସଂରକ୍ଷଣ ପାଇଁ ଯୋଜନାବଦ୍ଧ ପ୍ରକଳ୍ପ ହେବା ଆବଶ୍ୟକ
4/12/2020 at 3:56 PM

ପୁରୀ ୪।୧୨: ପୁରୀର ସର୍ବ ପୁରାତନ ଶଙ୍କରାନନ୍ଦ ମଠ ଧ୍ବସାଂଭିମୁଖୀ । ଏହି ମଠର ପୁନଃରୁଦ୍ଧାର ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ । ଏହାସହ ମଠର ସଂରକ୍ଷଣ ପାଇଁ ଯୋଜନାବଦ୍ଧ ପ୍ରକଳ୍ପ ହେବା ଆବଶ୍ୟକ ବୋଲି ଗୁରୁବାର ମଠ ପରିସରରେ ଆୟୋଜିତ ଐତିହ୍ୟ ସୁରକ୍ଷା ଆଲୋଚନାରେ ଯୋଗ ଦେଇ ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ ଶ୍ରୀକ୍ଷେତ୍ରରେ ୭୫୨ଟି ମଠ ରହିଥିଲା । ଏବେ ମଠ ଓ ଆଶ୍ରମର ସଂଖ୍ୟା ୩୭୪ରେ ସୀମିତ। ତନ୍ମଧ୍ୟରେ ଶୈବପୀଠ ଗୁଡ଼ିକ ବେଶି ପ୍ରାଚୀନ । ଗୋବର୍ଦ୍ଧନ ମଠ ପ୍ରତିଷ୍ଠା ପୂର୍ବରୁ ଶଙ୍କରାନନ୍ଦ ମଠ ପ୍ରତିଷ୍ଠା ହୋଇଥିଲା । ଏଭଳିକି ଆଦି ଶଙ୍କରାଚାର୍ଯ୍ୟ ଓ ପଦ୍ମ ପାଦାଚାର୍ଯ୍ୟ ଏହି ମଠରେ ଅବସ୍ଥାନ କରିଥିବା ଜଣାଯାଏ । ଶ୍ରୀମନ୍ଦିର ସହ ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ପରିଛା ବା ବୁଝାସୁଝା ଦାୟିତ୍ବରେ ଥିଲା ଏହି ମଠ । ମଠର ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ସ୍ବତନ୍ତ୍ର । ଏହାର କୋଠରୀ ଗୁଡିକ ୫୦୦ ବର୍ଷ ତଳ ପୁରୁଣା । ଏହି ମଠରେ କାଞ୍ଚି ଅଭିଯାନର ଅନେକ ସ୍ମାରକୀ ରହିଛି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ମଠ ଧ୍ବସାଂଭିମୁଖୀ । ଏକଦା ସମୃଦ୍ଧ ଥିବା ଏହି ମଠର ରାଜ୍ୟ ଓ ରାଜ୍ୟ ବାହାରେ ଅମାପ ଭୂସମ୍ପତ୍ତି ଥିଲା ।

ଏହି ମଠ ଐତିହ୍ୟ ସମ୍ପନ୍ନ ହୋଇଥିବା ବେଳେ ଦେବୋତ୍ତର ବିଭାଗ ଅଧିନରେ ଥିବା ଏହି ମଠର କିନ୍ତୁ ଏଯାଏଁ ପୁନରୁଦ୍ଧାର କିମ୍ବା ସଂରକ୍ଷଣ ହୋଇନାହିଁ । ବର୍ଷସାରା ଶ୍ରୀମନ୍ଦିର ଓ ଶ୍ରୀଲୋକନାଥ ମନ୍ଦିରରେ ଏହି ମଠର ସେବା ରହିଛି ।

ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରଧି ମଧ୍ୟରେ ଐତିହ୍ୟ କରିଡ଼ର ଦ୍ବାରା ପ୍ରଭାବିତ ହୋଇଥିବା ୧୫ଟି ମଠର ମଠାଧୀଶ ସନ୍ୟାସୀ ହୋଇଥିବାରୁ ସେମାନେ ପୁରୀ ଛାଡ଼ି ଯାଇପାରିବେ ନାହିଁ। ତେଣୁ ଶତାଧିକ ମଠାଧୀଶଙ୍କ ପାଇଁ ଶଙ୍କରାନନ୍ଦ ମଠରେ ସେମାନଙ୍କ ରହିବା ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଗୁରୁବାର ମଠ ପରିସରରେ ଶଙ୍କରାନନ୍ଦ ମଠ ଐତିହ୍ୟ ଗବେଷଣା କମିଟି ପକ୍ଷରୁ ଆୟୋଜିତ ଆଲୋଚନାରେ ଯୋଗଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶଙ୍କରାନନ୍ଦ ମଠର ପୁନଃରୁଦ୍ଧାର ପାଇଁ ଯୋଜନାବଦ୍ଧ ପ୍ରକଳ୍ପ ହେବା ଆବଶ୍ୟକ । ଦୀର୍ଘବର୍ଷ ହେବ ଏହି ମଠ ଅବହେଳିତ ଅବସ୍ଥାରେ ରହିଛି । ମଠର ଅସ୍ତିତ୍ବ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରିବା ଆବଶ୍ୟକ ବୋଲି ଜଗଦଗୁରୁ ପରାମର୍ଶ ଦେଇଛନ୍ତି।