ବୋହୂ ରିଭାବାଙ୍କ ପରାଜୟ ଦେଖିବାକୁ ଚାହାନ୍ତି ଜାଡେଜାଙ୍କ ବାପା, ଭିଡିଓ ଭାଇରାଲ୍

Published By : Prameya-News7 Bureau | November 29, 2022 IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ଏହା ମଧ୍ୟରେ ମଙ୍ଗଳବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବାପା ଅନିରୁଦ୍ଧ ସିଂହ ଜାଡେଜା ଜନତାଙ୍କୁ ତାଙ୍କ ବୋହୂ ରିଭାବାଙ୍କୁ ଭୋଟ୍ ନଦେବାକୁ ଅପିଲ୍ କରୁଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି। ରିଭାବା ଜାଡେଜାଙ୍କୁ ବିଜେପି ଉତ୍ତର ଜାମନଗର ଆସନରୁ ପ୍ରାର୍ଥୀ କରିଛି। ରବୀନ୍ଦ୍ର  ଜାଡେଜା ନିଜ ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଜୁଟିଛନ୍ତି। ଅନ୍ୟପଟେ ରବୀନ୍ଦ୍ର ଜାଡେଜାଙ୍କ ଭଉଣୀ ନନଦ ନୟନାବା ଭାଉଜ ରିଭାବାଙ୍କ ବିପକ୍ଷରେ ମୋର୍ଚ୍ଚା ଖୋଲିଛନ୍ତି। ନୟନାବା ଜାମନଗର ଆସନରେ କଂଗ୍ରେସ ପକ୍ଷରୁ ପ୍ରଚାର କରୁଛନ୍ତି। ସେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି।

ସୂଚନାଯୋଗ୍ୟ, ଗୁଜରାଟର ଚର୍ଚ୍ଚିତ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ଜାମନଗର ଉତ୍ତର ସଂପ୍ରତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବିଜେପି ଏହି ଆସନରୁ ନିଜର ବରିଷ୍ଠ ବିଧାୟକ ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ଟିକେଟ୍ କାଟି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜାଙ୍କୁ ପ୍ରାର୍ଥୀ କରିଛି। ଏହି ଚର୍ଚ୍ଚିତ ଆସନରେ କିଏ ବାଜିମାତ କରୁଛି ତାହା ଡିସେମ୍ବର ୮ରେ ଜଣା ପଡିବ।

ଏଥର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜାଙ୍କ ରାଜନୈତିକ ଭବିଷ୍ୟତର ନିଷ୍ପତ୍ତି ହେବାକୁ ଯାଉଛି। ନିକଟରେ ସଂପନ୍ନ ଟି-୨୦ ବିଶ୍ଵ କପ୍‌ ଖେଳି ପାରିନଥିବା ଜାଡେଜା ସଂପ୍ରତି ନିଜ ପତ୍ନୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି। ଜାମନଗର ସହରରେ ଏକ ରୋଡ୍ ଶୋରେ ଜାଡେଜା ଭାଗ ନେଇ ପ୍ରଶଂସକ ଏବଂ ସମର୍ଥକଙ୍କ ଅଭିବାଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.