ଯାଦବପୁର ୟୁନିଭର୍ସିଟି ଛାତ୍ର ମୃତ୍ୟୁ ଘଟଣା: ସମଲିଙ୍ଗୀ କହି ଚିଡ଼ାଇବା ସହ କରିଡରରେ ନଗ୍ନ ପରେଡ୍ କରାଇଥିଲେ ସିନିୟର
23/08/2023 at 5:11 PM

ନୂଆଦିଲ୍ଲୀ: ଯାଦବପୁର ୟୁନିଭର୍ସିଟି ଛାତ୍ର ମୃତ୍ୟୁ ଘଟଣାର ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ମଣିପୁର ଭଳି ୟୁନିଭର୍ସିଟି ଛାତ୍ରଙ୍କୁ ମଧ୍ୟ ନଗ୍ନ ପରେଡ୍ କରାଯାଇଥିଲା। ଛାତ୍ରଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କୁ ହଷ୍ଟେଲ୍ କରିଡରରେ ନଗ୍ନ ପରେଡ୍ କରାଯାଇଥିଲା ବୋଲି କୋଲକାତା ପୁଲିସ ତଦନ୍ତରେ ଜଣାପଡ଼ିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଛାତ୍ରଙ୍କୁ ଯୌନ ନିର୍ଯାତନା ମଧ୍ୟ ଦିଆଯାଇଥିଲା।
ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇ ପୁଲିସ କହିଛି “ ନାବାଳକଙ୍କୁ ରାଗିଂ କରାଯାଇଥିଲା ଓ ଯୌନ ନିର୍ଯାତନା ଦିଆଯାଇଥିଲା। ରୁମ୍ ନମ୍ବର ୭ରେ ତାଙ୍କୁ ନିର୍ବସ୍ତ୍ର ହେବାକୁ ବାଧ୍ୟ କରାଯାଇଥିଲା। ଆମ ପାଖରେ ପ୍ରମାଣ ରହିଛି।” କଲେଜ୍ର ବରିଷ୍ଠ ଛାତ୍ରମାନେ ନୂଆ କରି କଲେଜ୍ ଆସିଥିବା ନାବାଳକକୁ ସମଲିଙ୍ଗୀ (ଗେ) ବୋଲି କହି ଚିଡ଼ାଇଥିଲେ। ରାଗିଂର ଶିକାର ହୋଇଥିବା ନାବାଳକ ବାରମ୍ବାର ସେ ଗେ ନୁହଁନ୍ତି ବୋଲି କହିବା ପରେ ତାଙ୍କୁ ନିର୍ବସ୍ତ୍ର ହୋଇ ପୁରୁଷତ୍ୱ ଦେଖାଇବାକୁ ବାଧ୍ୟ କରାଯାଇଥିଲା। ଏହାପରେ ହଷ୍ଟେଲ୍ କରିଡରରେ ତାଙ୍କୁ ନଗ୍ନ ପରେଡ୍ କରାଯାଇଥିଲା। ଏହାପରେ ନାବାଳକ ଅପମାନ ସହି ନପାରେ ସମସ୍ତଙ୍କ ସାମ୍ନାରେ ବାଲ୍କୋନୀରୁ ତଳକୁ ଡେଉଁ ପଡ଼ିଥିଲା ବୋଲି ଅଭିଯୁକ୍ତ ଛାତ୍ରମାନେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି।
ଏହି ଘଟଣାରେ ମୋଟ ୧୨ ଜଣ ଗିରଫ ହୋଇଛନ୍ତି। ଛାତ୍ର ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ବର୍ତ୍ତମାନ ଓ ପୂର୍ବତନ ଛାତ୍ରମାନେ ମଧ୍ୟ ସାମିଲ୍ ଅଛନ୍ତି। ଏଥିସହିତ ଘଟଣା ସମ୍ପର୍କରେ ପୁଲିସକୁ ଭୂଆଁ ବୁଲାଇବାକୁ କରାଯାଇଥିବା ହ୍ୱାଟ୍ସଆପ୍ ଗ୍ରୁପ୍କୁ ମଧ୍ୟ ପୁଲିସ୍ ସ୍କାନରରେ ନେଇଛି। ଘଟଣା ସମ୍ପର୍କରେ ଅଗଷ୍ଟ ୯ ତାରିଖରେ ପୁଲିସ ହଷ୍ଟେଲ ରୋଷେୟାଙ୍କୁ ଘଟଣା ବିଷୟରେ ପଚାରିବାରୁ କିଛି ତଥ୍ୟ ପାଇଥିଲା। ଏହାରି ଆଧାରରେ ତଦନ୍ତ ହୋଇଥିଲା। ଘଟଣାରେ ପଚରାଉଚରା ପାଇଁ ଅନ୍ୟ ଦୁଇ ପୂର୍ବତନ ଛାତ୍ରଙ୍କୁ ସମନ କରାଯାଇଛି।
ଏପଟେ ଅନୁସନ୍ଧାନ ଚାଲିଥିବାବେଳେ ଛାତ୍ର ସଂଗଠନ, ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଷ୍ଟୁଡେଣ୍ଟସ୍ ୟୁନିଅନ୍ (FETSU) ଏକ ବିବୃତ୍ତି ଜାରି କରିଛି. କ୍ୟାମ୍ପସରେ ଏଭଳି କିଛି ଘଟଣାକୁ ରାଗିଂ ଭାବରେ ଧରିନିଆଯିବା ଉଚିତ ବୋଲି ବିଜ୍ଞପ୍ତିରେ କହିଛି ସଂଗଠନ।
ଏହି ଖବରଟିକୁ ପଢନ୍ତୁ-ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା, ଶିକ୍ଷା ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ଘୋଷଣା
ବିବୃତ୍ତିରେ କୁହାଯାଇଛି ଯେ ଏକାଧିକ ଉତ୍ସରୁ କିଛି ନିର୍ଦ୍ଦିଷ୍ଟ ଘଟଣା ବିଷୟରେ ଜଣାପଡ଼ିଛି। ଯାହା ବିଭିନ୍ନ ବିଭାଗରେ ପଢ଼ିବାକୁ ଆସୁଥିବା ନୂଆ ଛାତ୍ରଛାତ୍ରୀମାନଙ୍କ ସହ ଘଟୁଛି। ଏଗୁଡ଼ିକୁ ରାଗିଂ ବୋଲି ବିଚାର କରାଯାଉ ବୋଲି ସଂଗଠନ କହିଛି। ବଙ୍ଗଳା ବିଭାଗର ୧୭ ବର୍ଷୀୟ ନାବଳକ ଅଗଷ୍ଟ ୯ ତାରିଖରେ ଆତ୍ମହତ୍ୟା କରିଥିଲେ। ନଦିଆ ଜିଲ୍ଲା ବଗୁଲାରୁ ସେ ଯାଦବପୁର ୟୁନିଭର୍ସିଟିକୁ ପାଠ ପଢ଼ିବାକୁ ଆସିଥିଲେ। ତେବେ ତାଙ୍କୁ ରାଗିଂ କରାଯାଇଥିଲା ବୁଲି ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।