ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସ୍ଙ୍କ ବିଦେଶ ଯାତ୍ରାରେ ଅଙ୍କୁଶ ଜାରି, କୋର୍ଟରେ ଏମିତି ଜବାବ ରଖିଲା ଇଡି
18/05/2022 at 6:05 PM

ମୁମ୍ବାଇ ୧୮।୫: ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଦିଲ୍ଲୀ କୋର୍ଟରେ ବିଦେଶ ଯିବା ନେଇ କରିଥିବା ଆବେଦନ ପ୍ରତ୍ୟାହାର କରିଛନ୍ତି । ଜ୍ୟାକଲିନ୍ ଦିଲ୍ଲୀ କୋର୍ଟରେ ମେ’ ୧୭ରୁ ୨୮ ମଧ୍ୟରେ ଆବୁଧାବି, ଦୁବାଇ, ଫ୍ରାନ୍ସ ଏବଂ ନେପାଳ ଯିବା ପାଇଁ ଆବେଦନ କରିଥିଲେ । ଆବେଦନରେ କୁହାଯାଇଥିଲା ଯେ, ୨୦୨୧ରେ ଯେତେବେଳେ ଜ୍ୟାକଲିନ୍ ଦୁବାଇ ଯାଉଥିଲେ ସେତେବେଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରୋକାଯାଇଥିଲା ଏବଂ ତାଙ୍କ ପାସ୍ପୋର୍ଟ ଜବତ କରାଯାଇଥିଲା । ଏଥିପାଇଁ ଜ୍ୟାକଲିନ୍ ଅପ୍ରେଲ ୨୬ରେ ୧୫ଦିନ ପାଇଁ ବିଦେଶ ଯିବାକୁ ଆବେଦନ କରିଥିଲେ । ଜ୍ୟାକଲିନ୍ଙ୍କ ଏହି ଆବେଦନ ଉପରେ ମେ’ ୧୧ରେ କୋର୍ଟ ଇଡିକୁ ଜବାବ ଦାଖଲ କରିବାକୁ କହିଥିଲେ ଏବଂ ମେ’ ୧୮ରେ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ ।
ଆଜି ଯେତେବେଳେ ଏଜେନ୍ସି କୋର୍ଟରେ ଜବାବ ଦାଖଲ କରିଥିଲା ସେତେବେଳେ ଜ୍ୟାକଲିନଙ୍କ ବିଦେଶ ଯିବା ଦାବିକୁ ମିଥ୍ୟା ବୋଲି କହିଥିଲା । ଇଡି କହିଥିଲା ଯେ, ରାଷ୍ଟ୍ରପତିଙ୍କ ମୃତ୍ୟୁ ଯୋଗୁଁ ଆବୁଧାବିରେ ହେବାକୁ ଥିବା ଇଭେଣ୍ଟ ବାତିଲ ହୋଇଯାଇଛି । ନେପାଳରେ ଆୟୋଜିତ ହେବାକୁ ଥିବା ଦବଙ୍ଗ ଟୁରରେ ଜ୍ୟାକଲିନଙ୍କୁ ସାମିଲ କରାଯାଇ ନାହିଁ ଏବଂ ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଜ୍ୟାକଲିନ୍ଙ୍କୁ ଡକାଯାଇ ନାହିଁ ।
ଏଜେନ୍ସୀର ଜବାବ ପରେ ଜ୍ୟାକଲିନ୍ ବିଦେଶ ଯାତ୍ରା ଆବେଦନ ପ୍ରତ୍ୟାହାର କରିନେଇଥିଲେ । ଜ୍ୟାକଲିନ୍ଙ୍କ ଓକିଲ କହିଛନ୍ତି ଯେ, ନୂଆ ଆବେଦନ ଖିବ୍ ଶୀଘ୍ର କରାଯିବ କାରଣ ଆବୁଧାବିରେ ହେବାକୁ ଥିବା ଇଭେଣ୍ଟ ଏବେ ଜୁଲାଇରେ ହେବ । ଯେଉଁଥିପାଇଁ ପୂର୍ବରୁ କୋର୍ଟରେ ନୂଆ ତାରିଖ ସହ ଆବେଦନ ଦାଖଲ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଜ୍ୟାକଲିନ୍ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏଜେନ୍ସିର ତଦନ୍ତ ଘେରରେ ଅଛନ୍ତି ଏବଂ ତାଙ୍କୁ ଅନେକ ଥର ପଚରାଉଚରା ମଧ୍ୟ କରାଯାଇସାରିଛି । ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜ୍ୟାକଲିନ୍ ଫର୍ଣ୍ଣାଡିସ୍ଙ୍କ ୭.୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି । ଆଟାଚ୍ କରାଯାଇଥିବା ସମ୍ପତ୍ତିରେ ୭.୧୨ କୋଟି ଟଙ୍କାର ବ୍ୟାଙ୍କରେ ଜମା ଫିକ୍ସଡ ଡିପୋଜିଟ୍ ରହିଛି ଏବଂ ବାକି କିଛି ଗିଫ୍ଟ ଯାହା ସୁକେଶ ଜ୍ୟାକଲିନଙ୍କୁ ଦେଇଥିଲେ ।