କରୋନା ଭୟ: ଗାଁ ଦାଣ୍ଡରେ ପିଟିପିଟି ଯବାନଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Published By : Prameya-News7 Bureau | August 21, 2020 IST

ଭଞ୍ଜନଗର୨୧/୮: କରୋନା ଭୟ । ଜଣେ ଯବାନଙ୍କୁ ଗାଁ ଦାଣ୍ଡରେ ପିଟିପିଟି ଅତି ନିର୍ମମଭାବେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାତୁଲା ଗ୍ରାମରେ । ମୃତ ଯବାନ ସାହସପୁର ଗ୍ରାମର ରଞ୍ଜନ କୁମାର ନାହାକ(୨୬) ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ଘଟଣା ଘଟିଛି ଗତକାଲି ରାତିରେ । ରଞ୍ଜନ ତାଙ୍କର ସାଙ୍ଗ ନନ୍ଦିଘୋର ଗ୍ରାମର ବିନୋଦ ଗୌଡ଼ଙ୍କ ମାମୁ ଘର ବାତୁଲା ଗ୍ରାମକୁ ମିଶି ଯାଇଥିଲେ। ଗାଁ ଭିତରକୁ ଗ୍ରାମବାସୀ ଛାଡ଼ିନଥିବାବେଳେ ସଙ୍ଘବଦ୍ଧ ଆକ୍ରମଣରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହତ୍ୟା ମାମଲାରେ ଗାଙ୍ଗପୁର ପୁଲିସ ୨୩୯/୨୦ ପ୍ରକାରେ ମାମଲା ରୁଜୁ କରି ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଥାନା ଅଧିକାରୀ ଧୀରେଶ ଦାଶ ସୂଚନା ଦେଇଛନ୍ତି । ବିନୋଦ ଗୁରୁତର ଆହତ ହୋଇଥିବାବେଳେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ କରୋନା କଟକଣାରୁ ଗ୍ରାମରେ ପ୍ରବେଶକୁ ବିରୋଧ କରି ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି ।

ଅଭିଯୋଗ ଆଧାରରେ ଆଇଆଇସି କହିଛନ୍ତି ଯେ, ଭାରତୀୟ ସ୍ଥଳସେନାର ଯବାନ ରଞ୍ଜନ କିଛିଦିନ ତଳେ ଛୁଟିରେ ଘରକୁ ଆସିଥିଲେ । ତାଙ୍କର ଅନ୍ୟଜଣେ ସାଙ୍ଗ ନନ୍ଦିଘୋର ଗ୍ରାମର ବିନୋଦଙ୍କ ସହ ଗତକାଲି ଦେଖାହୋଇଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଭୟ ବିନୋଦଙ୍କ ମାମୁ ଘର ଗାଁ ବାତୁଳାକୁ ଯାଇଥିଲେ । ଏମାନଙ୍କ ଗ୍ରାମରେ ପ୍ରବେଶକୁ ବାତୁଲା ଗ୍ରାମର କିଛି ଯୁବକ ବିରୋଧ କରିଥିଲେ ।

ଏନେଇ ବାତୁଲା ଗ୍ରାମର କିଛି ଯୁବକ ଓ ଯବାନ ରଞ୍ଜନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ହାତାହାତି ପର୍ଯ୍ୟନ୍ତ କଥା ଗଲା । ଆଉ ରାତି ପାଖାପାଖି ସାଢେ ୮ଟାରେ ଗ୍ରାମର ଯୁବକମାନେ ସଂଗଠିତ ହୋଇ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଉଭୟ ରଞ୍ଜନ ଓ ବିନୋଦଙ୍କୁ ଆକ୍ରମଣ କରିଥିଲେ। ଅତର୍କିତ ଏଭଳି ଆକ୍ରମଣ କରିବାକୁ ଆସୁଥିବା ଦେଖି ରଞ୍ଜନ ଓ ବିନୋଦ ବାଇକ୍‌ ଛାଡ଼ି ଦୌଡିଥିଲେ । ମାତ୍ର ଯୁବକମାନେ ଏମାନଙ୍କୁ ଚାରିପଟୁ ଘେରି ଯାଇ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ବାତୁଲା ଗ୍ରାମ ରାସ୍ତାରେ ପଡ଼ି ରହିଥିଲେ ।

ମରିଯାଇଥିବା ଭାବି ଯୁବକମାନେ ପଳାଇଥିଲେ । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଦାଶ ସଦଳବଳେ ବାତୁଲା ଗ୍ରାମରେ ପହଞ୍ଚିଥିଲେ । ସେତେବେଳକୁ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ସିପାହୀ ରଞ୍ଜନଙ୍କ ମୃତ୍ୟୁ ଘଟି ସାରିଥିଲା । ବିନୋଦକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଚିକିତ୍ସା ଜାରି ରହିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଯବାନ ରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛଦ ପାଇଁ ଆସିକା ଡାକ୍ତରଖାନା ପଠାଇ ଦିଆଯାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଯବାନର ମୃତ୍ୟୁ ଖବର ଜଣାପଡ଼ିବା ପରେ ସାହାସପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.