ଅନାଥକୁ ସାହାହେଲେ ଇଟାଲୀ ଦମ୍ପତ୍ତି, ଗଜପତିର ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ

Published By : Prameya-News7 Bureau | November 22, 2022 IST

ଗଜପତି ୨୨/୧୧: ଅନାଥଙ୍କ ଭାଗ୍ୟ କେତେବେଳେ ଖୋଲିଯାଏ ତାହା କିଛି କହିହେବନାହିଁ । ଏଭଳି କିଛି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଗଜପତି ଜିଲାର ପୁଆକୁ ସାତ ଦାରିଆ ପାର ଇଟାଲୀର ଗୋଟେ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଇଟାଲିର ଏକ ଦମ୍ପତ୍ତି ଡେଙ୍ଗାନୂ ଜିଆନଲୁକ ଓ ପତ୍ନୀ ବୁସ୍ଲେଟା ଗଜପତି ଜିଲ୍ଲାରୁ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।

କେନ୍ଦ୍ରର ପୋଷ୍ୟ ସନ୍ତାନ ନିମନ୍ତେ ଥିବା କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ପୋର୍ଟାଲର ଏହି ୩୩ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ହସ୍ତାନ୍ତର କରିଛନ୍ତି । ଏହି ପୁଅଟିକୁ ପ୍ରାୟ ୫୦ବର୍ଷ ତଳେ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼ଲାଇନ୍ ଉଦ୍ଧାର କରିଥିଲେ ।

ଶିଶୁଟିର ପିତାଙ୍କ ମୃତ୍ୟୁ ପରେ ମାଆ ଅନ୍ୟତ୍ର ବାହାହୋଇ ଛାଡ଼ି ଚାଲିଯାଇଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ୍ ଶିଶୁଟି ଉଦ୍ଧାର କରିବା ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଶିଶୁଟିକୁ ମାଁ ଗଜପତି ମଙ୍ଗଳ ସମିତି ଆଗରେ ସମର୍ପିତ କରିଥିଲା । ମୋହନାର ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ଅନାଥଟିର ସମସ୍ତ ଯତ୍ନ ଓ ସୁରକ୍ଷା ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା ।

ଆଇନତଃ ମୁକ୍ତ ହେବା ପରେ ପ୍ରାୟ ଚାରିବର୍ଷ ହେଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ୍ ସାଲୋମରେ ଅପଲୋଡ଼ କରାଯାଇଥିଲା । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ । ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଇଟାଲୀୟ ଦମ୍ପତ୍ତି ଏହି ଛୁଆଟିକୁ ପସନ୍ଦକରିଥିବା ଯୋଗୁଁ ପ୍ରଶାସନ ପିଲାଟିକୁ ହସ୍ତାନ୍ତର କରିଛି । ଏପରି ଯୋଜନା ଦ୍ୱାରା ଅନାଥ ପିଲା ମାନଙ୍କ ଭାଗ୍ୟ ବଦଳିଯିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.