ପୂର୍ବତନ ବିଧାୟକଙ୍କ ଘରେ ଆଇଟି ରେଡ୍, ବିଭିନ୍ନ ଠିକଣାରେ ଚାଲିଛି ଚଢାଉ
1/06/2023 at 11:39 AM

ବଡ଼ବିଲ ୦୧।୦୬ : ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣାରେ IT ଚଢ଼ାଉ । ଯୋଡ଼ାର ବିଭିନ୍ନ ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ । ଟ୍ୟାକ୍ଟ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କରାଯାଉଛି ।

ଖବର ଅନୁଯାୟୀ, ଗୁରୁବାର ସକାଳୁ ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସଭବନ ଓ ବନେଇକଳା ଛକରେ ଥିବା ପାତନାୟକ୍ ମିନେରାଲ ଖଣି କାର୍ଯ୍ୟାଳୟରେ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି ଚଢ଼ାଉ ଜାରି ରଖିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଚଢାଉ ।

ସେହିପରି ଜିତୁଙ୍କ ରେଜିଂ କଣ୍ଟ୍ରାକ୍ଟର ବିଏସ ମାଇନିଂର କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ନେଣଦେଣକୁ ନେଇ ଛାନଭିନ କରୁଛି ଆୟକର ବିଭାଗ । ତେବେ ଆଇଟି ବିଭାଗ ଚଢ଼ାଉ ଜାରି ରଖିଥିଲା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦିଆଯାଉନାହିଁ । ଏପିରିକି ଚଢ଼ାଉ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି ଆୟକର ଅଧିକାରୀ । ଏବାବଦରେ ଜିତୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗତ ୧୧ ମଇ ୨୦୨୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଜିତୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା । ସେତେବେଳେ ଜିତୁଙ୍କ ବାସଭବନରୁ ନଗଦ ୫୫ ଲକ୍ଷ ଏବଂ ଅଫିସରୁ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା । ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ଫିକ୍ସ ଡିପୋଜିଟ୍ ବାବଦକୁ ୧୩୦ କୋଟି ଟଙ୍କାର ବଣ୍ଡକୁ ଜବତ କରିଥିଲା ED ।
