ହ୍ବାଟ୍ସଆପ୍‌କୁ କେନ୍ଦ୍ର ସରକାରଙ୍କ ତାଗିଦ୍, କହିଲେ ଭାରତରେ ରହିବାର ଅଛି ତ’ ମାନଚିତ୍ର ସହ ଖେଳନ୍ତୁ ନାହିଁ

Published By : Prameya-News7 Bureau | December 31, 2022 IST

ନୂଆଦିଲ୍ଳୀ, ୩୧/୧୨: ହ୍ବାଟ୍ସଆପ୍‌କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍‌। ଭାରତର ଭୁଲ୍‌ ମାନଚିତ୍ର ସେୟାର କରିଥିବାରୁ ହ୍ବାଟ୍ସଆପ୍‌କୁ ତାଗିଦ୍ କଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଟେକ୍ନୋଲୋଜୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇନଷ୍ଟାଣ୍ଟ ମେସେଜିଙ୍ଗ୍ ପ୍ଳାଟଫର୍ମ ହ୍ବାଟ୍ସଆପ୍‌କୁ ତାଗିଦ କରିଛନ୍ତି। ପ୍ରକୃତରେ ହ୍ବାଟ୍ସଆପ୍ ଏକ ଟ୍ବିଟ୍‌ରେ ଭାରତର ଭୁଲ୍ ମାନଚିତ୍ର ବ୍ୟବହାର କରିଥିଲା, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କିଛି ଦିନ ପୂର୍ବେ ଜୁମ୍‌ର ସିଇଓ ଏରିକ୍ ୟୁଆନ୍‌ଙ୍କୁ ମଧ୍ୟ ସାବଧାନ କରିଥିଲେ। ଆଉ ଏବେ ହ୍ବାଟ୍ସଆପ୍‌କୁ ଚେତାବନୀ ଦେଇଛନ୍ତି।

ରାଜୀବ ଚନ୍ଦ୍ରଶେଖର ହ୍ବାଟ୍ସଆପ୍‌କୁ ଟ୍ବିଟ୍ କରି ଯଥାଶୀଘ୍ର ଭାରତର ଭୁଲ୍ ମାନଚିତ୍ର ଠିକ୍ କରିବାକୁ କହିଛନ୍ତି। ସେ କହିଛନ୍ତି ଭାରତରେ କାରବାର ଜାରି ରଖିବାକୁ ଚାହୁଛନ୍ତି ତେବେ ଠିକ୍ ମାନଚିତ୍ରର ବ୍ୟବହାର କରନ୍ତୁ। ପ୍ରକୃତରେ ହ୍ବାଟ୍ସଆପ୍ ଏହାର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲେର ଏକ ଭିଡିଓ ଟ୍ବିଟ୍ କରିଥଲା। ଯେଉଁଥିରେ ୨୪ ଘଣ୍ଟାର ନୂଆ ବର୍ଷର ଲାଇଭ୍ ଷ୍ଟ୍ରିମ୍ ନେଇ ସୂଚନା ଦିଆଯାଇଥିଲା। ଆଉ ଏହି ଭିଡିଓରେ ଦିଆଯାଇଥିବା ଗ୍ଳୋବ୍‌ରେ ଭାରତର ଭୁଲ୍ ମାନଚିତ୍ର ରହିଥିଲା। ଏଥିରେ ଜମ୍ମୁ-କାଶ୍ମୀରକୁ ନେଇ ତ୍ରୁଟି ରହିଥିଲା।

ଏହା ପୂର୍ବରୁ ୨୮ ଡିସେମ୍ବରରେ ମନ୍ତ୍ରୀ ଜୁମ୍‌ର ସିଇଓ ଏରିକ୍ ୟୁଆନ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ। ୟୁଆନ୍ ଟ୍ବିଟରରେ ଭାରତର ଭୁଲ୍‌ ନକ୍ସା ସେୟାର କରିଥିଲେ। ଆଉ ତାଗିଦ୍ ପରେ ୟୁଆନ୍‌ଙ୍କ ଟ୍ବିଟ୍ ହଟାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.