ଦେଶରେ ଆତଙ୍କବାଦ ବଢୁଥିବା ସ୍ୱୀକାର କଲା ପାକିସ୍ତାନ; ଶେହବାଜଙ୍କ ମନ୍ତ୍ରୀ କହିଲେ, ଉଗ୍ରବାଦ ନୁହେଁ, ଆତଙ୍କବାଦ ଚିନ୍ତାର କାରଣ

Published By : Prameya-News7 Bureau | October 19, 2022 IST

ଇସଲାମାବାଦ: ଆତଙ୍କବାଦକୁ ନେଇ ବର୍ତ୍ତମାନ ପାକିସ୍ତାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପଡ଼ୋଶୀ ଦେଶରେ ପାକିସ୍ତାନୀ ଆତଙ୍କବାଦର ଚେର ଏତେ ଲମ୍ବିଲାଣି ଯେ ଏବେ ଖୋଦ୍ ପାକିସ୍ତାନ ସରକାର ବି ଏହାକୁ ସ୍ୱୀକାର କରିଛନ୍ତି। ଏନେଇ ପାକିସ୍ତାନର ମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି। ବୁଧବାର ସଂସଦରେ ଭାଷଣ ରଖୁଥିବା ବେଳେ ଶେହେବାଜ ସରିଫଙ୍କ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଉଗ୍ରବାଦ ନୁହେଁ ବରଂ ଆତଙ୍କବାଦ ବ୍ୟାପିଛି।

ପ୍ରକୃତରେ ପାକିସ୍ତାନର ଖୈଇବର ପଖତୁନଖ୍ୱାର ସ୍ୱାତ ଜିଲ୍ଲାରେ ଆତଙ୍କବାଦୀମାନେ ଉତ୍‌ପାତ ଜାରି ରଖିଛନ୍ତି। ଫଳରେ ଜିଲ୍ଲାବାସୀଙ୍କ ରାଗ ସରକାର ଉପରେ ରହିଛି।  ସରକାର ଆତଙ୍କବାଦର ନିପାତ ପାଇଁ କିଛି କରୁନଥିବା ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବୁଧବାର ପାକିସ୍ତାନ ସଂସଦରେ ଆଲୋଚନା ହୋଇଥିଲା। ସ୍ୱାତ ଜିଲ୍ଲାରେ ବିଗିଡ଼ୁଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପାକିସ୍ତାନ ସରକାର।

ସଂସଦରେ ଆଲୋଚନା ବେଳେ ପାକିସ୍ତାନ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶୋରୀ ରହମାନ କହିଛନ୍ତି  “ ପାକିସ୍ତାନରେ ଯାହା ହେଉଛି ତାହା ବିଦ୍ରୋହ କି ଉଗ୍ରବାଦ ନୁହେଁ, ଏହା ଆତଙ୍କବାଦ। ଧର୍ମ ଆଢ଼ୁଆଳରେ ନିଜ ହୀନ ମାନସିକତା ଲୁଚାଇବାକୁ ଚେଷ୍ଟା କରୁଥିବା ହିଂସକ ତତ୍ୱମାନେ ଏଥିପାଇଁ ଦାୟୀ। କ୍ଷମା କରିବେ ଏହା କେବଳ କ୍ଷମତାର ଲଢ଼େଇ। ଏହା ଧର୍ମ ଲଢ଼େଇ ନୁହେଁ। ଏହାକୁ ସ୍ୱୀକାର କରିବାର ଶକ୍ତି ରହିବା ଦରକାର।” ଖୈବର ପଖତୁନଖ୍ୱାର ସ୍ଥିତି ପଡ଼ୋଶୀ ଆଫଗାନିସ୍ତାନ ସହିତ ତୁଳନା କରିଛନ୍ତି ପାକିସ୍ତାନ ପର୍ଯ୍ୟଟନ ମନ୍ତ୍ରୀ।

ତେହରିକ ଏ ତାଲିବାନର ପାକିସ୍ତାନରେ ପ୍ରଭାବ ବଢ଼ିବା ନେଇ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶୋରୀ ରହମାନ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦୀ ଆତଙ୍କବାଦୀ ହିଁ ରହିଥାଏ। କାରଣ ସେ ହତିଆର ଉଠାଇଛି। ତେଣୁ ଏମାନଙ୍କ ସହିତ କୌଣସି ବୁଝାମଣା କରିବା କଥା ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.