ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା : ୮ରୁ କମିବ, ୧୨ରୁ ବଢିବ !
7/09/2023 at 4:06 PM

ଭୁବନେଶ୍ବର ୭।୯: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଥିବା ବେଳେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ୮ ତାରିଖ ପରଠୁ ବର୍ଷାର ପ୍ରଭାବ କମିବା ସମ୍ଭାବନା ରହିଛି । ତେବେ ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ସମ୍ଭାବନା ଥିବାବେଳେ ସାରା ରାଜ୍ୟରେ ବିସ୍ତୃତି ବର୍ଷାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟାରେ ଦେଶର ସବୁଠୁ ଅଧିକ ବର୍ଷା ବାଲେଶ୍ୱରରେ ରେକର୍ଡ କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୧୧୭ ମିମି, ବାହାନଗାରେ ୯୦ ମିମି, ଉଦଳାରେ ୯୦ ମିମି, ଭୁବନରେ ୯୦ ମିମି ଓ ମୟୂରଭଞ୍ଜର କପ୍ତିପଦାରେ ୮୦ ମିମି ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ ୬୭.୭, ଗୋପାଳପୁରରେ ୪୯.୭, କୋରାପୁଟରେ ୪୭.୬, ମାଲକାନଗିରିରେ ୪୪.୬, ଯାଜପୁରରେ ୩୧.୨ ଓ ଝାରସୁଗୁଡ଼ାରେ ୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
୭ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ରହିଛି ।
ସେପଟେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଗୁରୁବାର ଲଘୁଚାପ ସ୍ଥଳଭାଗକୁ ଆସିବ । ଲଗାଣ ବର୍ଷା ନ ହୋଇ ଅସରାଏ ଅସରାଏ ବର୍ଷା ହେବ । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ତାରିଖ ଯାଏଁ ରାଜ୍ୟରେ ୬୬.୨ ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ୫୯.୪ମିମି ତୁଳନାରେ ୧୧% ଅଧିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୭.୪ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ୧୦.୯ ମିମି ତୁଳନାରେ ୬୦% ଅଧିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ବର୍ଷା ସତ୍ତ୍ବେ ୧୧ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍ ୧ରୁ ଆଜିସୁଦ୍ଧା ରାଜ୍ୟରେ ୮୪୯.୫ମିମି ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୯୭୩.୯ମିମି ଥିଲା ।
You Can Read :