'ଲୋକେ କଣ କହୁଛନ୍ତି, ସେଥିରେ କିଛି ଫରକ ପଡେ ନାହିଁ...', ଅଧିନାୟକ ହେବା ପରେ ପ୍ରଥମ ଥର ମୁହଁ ଖୋଲିଲେ ରୋହିତ

Published By : Prameya-News7 Bureau | December 12, 2021 IST

ନୂଆଦିଲ୍ଲୀ ୧୨।୧୨: ଲୋକେ କଣ କହୁଛନ୍ତି, ସେଥିରେ ତାଙ୍କୁ କୌଣସି ଫରକ ପଡେ ନାହିଁ। ଲୋକେ ଅନେକ ସକରାତ୍ମକ ଏବଂ ନକରାତ୍ମକ କଥା କହିବେ। ଆମର ଦାୟିତ୍ଵ ଲୋକଙ୍କ କଥା ନଶୁଣି ନିଜ କାମ ଉପରେ ଫୋକସ୍ କରିବା ଉଚିତ୍। ଏମିତି କହିଛନ୍ତି ଦିନିକିଆ ଦଳର ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା। ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଭବିଷ୍ୟତକୁ ଦୃଷ୍ଟିରେ ରଖି ରୋହିତ ଶର୍ମାଙ୍କୁ ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ କରିଛି। ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ଜାରି ରହିଛି।  ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇର ଏହି ନିଷ୍ପତ୍ତିକୁ ହଜମ  କରି ପାରି ନାହାନ୍ତି। ଆଉ କିଛି  ନିଷ୍ପତ୍ତିକୁ ସଠିକ୍ କହିଛନ୍ତି।

ଦିନିକିଆ ଅଧିନାୟକକୁ ନେଇ ଜାରି ବିତର୍କ ମଧ୍ୟରେ ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ବିସିସିଆଇକୁ ଏକ ସ୍ଵତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଏହାର ଭିଡିଓକୁ ବିସିସିଆଇ ଟ୍ଵିଟରରେ ସେୟାର କରିଛି। ରୋହିତ କହିଛନ୍ତି, ଲୋକେ କଣ କହୁଛନ୍ତି, ସେଥିରେ ତାଙ୍କୁ କୌଣସି ଫରକ ପଡେ ନାହିଁ। ରୋହିତଙ୍କ ମତରେ ଦଳର ପୂରା ଫୋକସ୍ ଲକ୍ଷ୍ୟ ହାସଲ କରିବା ଉପରେ ରହିବା ଉଚିତ୍। ଖେଳାଳିଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରହିବା ଦରକାର।

wp:html /wp:html

ରୋହିତ କହିଛନ୍ତି, ଯେବେ ଆପଣ ଭାରତ ପାଇଁ କ୍ରିକେଟ୍ ଖେଳୁଛନ୍ତି ତେବେ ଆପଣଙ୍କ ଉପରେ ସର୍ବଦା ଚାପ ରହିବ। ଲୋକେ ଆପଣଙ୍କ ବିଷୟରେ ସକରାତ୍ମକ ଏବଂ ନକରାତ୍ମକ କଥା କହିବେ। ବ୍ୟକ୍ତିଗତ ଭାବେ ଜଣେ କ୍ରିକେଟ୍ ହୋଇଥିବାରୁ ନିଜ କାମ ଉପରେ ଫୋକସ୍ କରିବା ସବୁଠୁ ମହତ୍ଵପୂର୍ଣ୍ଣ। ଲୋକେ କଣ କହୁଛନ୍ତି ତା ଉପରେ ଫୋକସ୍ କରିବାର ଆବଶ୍ୟକତା ନାହିଁ। ଲୋକେ କଣ କହୁଛନ୍ତି, ତା ଉପରେ ଆପଣଙ୍କ ନିୟନ୍ତ୍ରଣ ନାହିଁ। ମୁଁ ଏହି କଥା ପୂର୍ବରୁ ଅନେକ ଥର କହି ଆସିଛି ଏବଂ ଏବେ ବି କହୁଛି। ଏହି ବାର୍ତ୍ତା ଦଳ ପାଇଁ ମଧ୍ୟ ବୋଲି ରୋହିତ କହିଛନ୍ତି।

ରୋହିତ ଏହା ମଧ୍ୟ କହିଛନ୍ତି, ଦଳକୁ ଏହା ମଧ୍ୟ ବୁଝିବା ଦରକାର ଯେ, ଯେବେ ଆମେ ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଖେଳନ୍ତି ତେବେ ଅନେକ ପ୍ରକାରର କଥା ଉଠେ। ତେଣୁ ଆମ ହାତରେ ଯାହା ରହିଛି ତା ଉପରେ ଧ୍ୟାନ ଦେବା ଦରକାର। ଆମକୁ ନିଜର ଶକ୍ତି  ଏବଂ ସାମର୍ଥ୍ୟ ଅନୁଯାୟୀ ଖେଳିବାକୁ ପଡିବ। ବାହାରେ ଯାହା ଆଲୋଚନା ହେଉଛି ତାହା ଆମ ପାଇଁ କୌଣସି କାମର ନୁହେଁ। ଆମ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଯେ, ଆମେ ପରସ୍ପର ବିଷୟରେ କଣ ଚିନ୍ତା କରୁଛନ୍ତି। ଆମକୁ ଖେଳାଳିଙ୍କ ମଧ୍ୟରେ ମଜବୁତ ବନ୍ଧନ କରିବାର ଆବଶ୍ୟକତା ରହିଛି, ଯାହା ଆମକୁ ଆମର ଲକ୍ଷ୍ୟ  ହାସଲ ଦିଗରେ ବେଶ୍ ସହାୟକ ହେବ। ରାହୁଲ ଭାଇ ଏହି କାମ ପାଇଁ ଆମକୁ ସାହାଯ୍ୟ କରୁଥିବା ରୋହିତ ଶର୍ମା କହିଛନ୍ତି।

ଦକ୍ଷିଣ ଆଫ୍ରିକା ଗସ୍ତ ଜରିଆରେ ରୋହିତ ଶର୍ମା ଦିନିକିଆ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୦ଟି ଦିନିକିଆରେ ଭାରତର ନେତୃତ୍ଵ ନେଇ ସାରିଛନ୍ତି। ଏଥିରୁ ଦଳ ୮ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି। ରୋହିତଙ୍କ ନେତୃତ୍ଵରେ ଭାରତ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ ଟାଇଟଲ୍ ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.