ଇସ୍ରୋର ବୈଜ୍ଞାନିକଙ୍କୁ ହତ୍ୟା, ସିସିଟିଭି ଯାଞ୍ଚକରି ପୋଲିସ ଖୋଜୁଛି ହତ୍ୟାକାରୀକୁ

Published By : Prameya-News7 Bureau | October 02, 2019 IST

ହାଇଦ୍ରାବାଦ୨|୧୦: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ(ଇସ୍ରୋ)ର ନ୍ୟାସନାଲ ରିମୋଟସେନସିଂ ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଏସ ସୁରେଶ କୁମାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ସଂଧ୍ୟାରେ ସୁରେଶ କୁମାରଙ୍କ ମୃତ ଦେହ ହାଇଦ୍ରାବାଦ ଆମୀରପେଟ ଅଂଚଳରେ ଥିବା ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି ।  କୌଣସି ବ୍ୟକ୍ତିଗତ କାରଣ ବା ପୂର୍ବ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଇସ୍ରୋ ସହ ଏହି ହତ୍ୟାକାଣ୍ଡର କୌଣସି ସମ୍ପର୍କ ନଥିବା ପୋଲିସ ସ୍ପଷ୍ଟ କରିଛି ।

ନ୍ୟାସନାଲ ରିମୋଟସେନସିଂ ସେଣ୍ଟରର ଫଟୋ ବିଭାଗରେ କାର୍ଯ୍ୟରତ ୫୬ ବର୍ଷ ବୟସ୍କ ବୈଜ୍ଞାନିକ ଏସ ସୁରେଶ କୁମାରଙ୍କ ନିଜ ଘର କେରଳରେ । ତେବେ ଗତ ୨୦ ବର୍ଷ ହେଲା ସେ ତାଙ୍କ ପତ୍ନୀ ଓ ପରିବାର ସହ ହାଇଦ୍ରାବାଦରେ ରହିଆସୁଛନ୍ତି । ମୃତ ବୈଜ୍ଞାନିକ ସୁରେଶଙ୍କ ପତ୍ନୀ ଇନ୍ଦିରା ଇଣ୍ଡିଆନ ବ୍ୟାଙ୍କରେ ସଂପ୍ରତି ମ୍ୟାନେଜରଭାବେ କାମ କରୁଛନ୍ତି । ଘଟଣା ଘଟିବା ଦିନ ସୁରେଶ ଫ୍ଲାଟରେ ଏକୁଟିଆ ରହୁଥିଲେ । ମଙ୍ଗଳବାରଠାରୁ ସୁରେଶଙ୍କ ଫୋନ ବନ୍ଦ ରହିଛି ଓ ଫୋନ ଗାୟବ ମଧ୍ୟ ରହିଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଅପରାହ୍ନରେ ସୁରେଶ ବର୍ଷାରେ ଭିଜି ଭିଜି ଘରକୁ ପେରିଥିଲେ । ସୋମବାର ରାତିରେ ସେ ଫୋନଯୋଗେ ନିଜ ପତ୍ନୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଓ ୱାଟ୍ସଆପ୍‌ରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଚାଟ ମଧ୍ୟ ତକିଛନ୍ତି । କିନ୍ତୁ ମଙ୍ଗଳବାର ସକାଳୁ ତାଙ୍କ ଫୋନ ବନ୍ଦ ରହିଥିଲା । ଚ୍ନ୍ନେଇରେ ରହୁଥିବା ପତ୍ନୀ ବାରମ୍ବାର ଫୋନ କରିବା ସତ୍ତ୍ବେ ସୁରେଶଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା । ଅପରପକ୍ଷରେ ମଙ୍ଗଳବାର ସକାଳୁ କାମ କରିବା ପାଇଁ ଆସିଥିବା ମହିଳା ସହାୟିକା ମଧ୍ୟ ସୁରେଶଙ୍କ ଫ୍ଲାଟ ଭିତରପଟୁ ବନ୍ଦ ଥିବା ଦେଖିଥିଲେ ।

ଦିନ ପ୍ରାୟ ୧୧ଟା ବେଳକୁ ଇନ୍ଦିରା ଇସ୍ରୋରେ କାର୍ଯ୍ୟରତ ସୁରେଶଙ୍କ ଜଣେ ବନ୍ଧୁଙ୍କ ନିକଟକୁ ଫୋନ କରି ସୁରେଶ ଅଫିସ ଯାଇଛନ୍ତି କି ନାହିଁ ପଚାରିଥିଲେ । ତେବେ ସୁରେଶ ଅଫିସ ଯାଇନଥିବା ଜାଣିବାପରେ ତାଙ୍କ ଚିନ୍ତା ବଢିଯାଇଥିଲା । ସୁରେଶ ରହୁଥିବା ଫ୍ଲାଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଫ୍ଲାଟକୁ ଯାଇ ସୁରେଶଙ୍କ ସମ୍ପର୍କରେ ବୁଝିବା ଲାଗି ଫଠାଇଥିଲେ । ସମ୍ପର୍କୀୟ ମଧ୍ୟ ଦେଖିଥିଲେ ଯେ, ଭିତରପଟୁ ସୁରେଶଙ୍କ ଘର ବନ୍ଦ ରହିଛି ଓ ଯେତେ ଡାକିଲେ ମଧ୍ୟ କେହି କବାଟ ଖୋଲୁନାହାନ୍ତି ।

ସୁରେଶଙ୍କ ପତ୍ନୀ ଚେନ୍ନାଇରୁ ବାହାରି ହାଇଦ୍ରାବାଦରେ ସଂଧ୍ୟାରେ ପହଞ୍ଚିଥିଲେ ଓ ପୋଲିସ ସହାୟତାରେ ଫ୍ଲାଟର କବାଟ ଭାଙ୍ଗାଯାଇଥିଲା । ଫ୍ଲାଟରେ ସୁରେଶଙ୍କ ମୃତ ଦେହ ଫଡିଥିଲା । ପ୍ରାଖମିକ ତଦନ୍ତରୁ ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି । ଫ୍ଲାଟରେ ସିସିଟିଭି ନଥିବାରୁ ପୋଲିସ ଆଖପାଖର ସିସିଟିଭି ଯାଂଚକରି କିଛି ସନ୍ଦିଗ୍ଧ ଲୋକଙ୍କୁ ଠାବ କରିଛି । ପୋଲିସ ତଦନ୍ତ ଜାରୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.