ଇସ୍ରୋର ପରବର୍ତ୍ତୀ ମିଶନ୍ ନିସାର, ଆଦିତ୍ୟ ଓ ଗଗନଯାନ : ଖୁବ୍ଶୀଘ୍ର ଦେଶର ସୂର୍ଯ୍ୟଯାନ ଆଦିତ୍ୟ-ଏଲ୍ ୧ ହେବ ଲଞ୍ଚ
23/08/2023 at 12:00 PM

ନୂଆଦିଲ୍ଲୀ,୨୩/୦୮: ଚନ୍ଦ୍ରଯାନ-୩ ପରେ ବି ଫୁରସତ୍ ମିଳିବନି ଇସ୍ରୋକୁ । ନିଶ୍ୱାସ ମାରିବାକୁ ସମୟ ନାହିଁ ବୈଜ୍ଞାନିକଙ୍କୁ । ଗୋଟିଏ ପରେ ଗୋଟିଏ ବଡ଼ ମିଶନ୍ ଜରିଆରେ ବର୍ଷ ତମାମ ଖବରରେ ରହିବ ଇସ୍ରୋ । ଗୋଟିଏ ମିଶନ୍ ସୂର୍ଯ୍ୟ ପାଇଁ, ୨ୟ ପୃଥିବୀ ସୁରକ୍ଷା ପାଇଁ, ୩ୟ ମହାକାଶ ଅଧ୍ୟୟନ ପାଇଁ ଏବଂ ୪ର୍ଥ ମିଶନ୍ ଗଗନଯାନ ।
ଚନ୍ଦ୍ରଯାନ-୩ ପରେ ଭାରତର ସୂର୍ଯ୍ୟଯାନ ଅର୍ଥାତ୍ ଆଦିତ୍ୟ-ଏଲ୍ ୧ ମିଶନ୍ ଲଞ୍ଚ୍ ହେବ । ଚଳିତ ୩୦ କିମ୍ବା ୩୧ ଅଗଷ୍ଟ ଅଥବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହାର ଉତ୍କ୍ଷେପଣ ହୋଇପାରେ । ଏହା ସୂର୍ଯ୍ୟର ବାୟୁମଣ୍ଡଳକୁ ଅଧ୍ୟୟନ କରିବ । ତା’ପରେ ଏକ୍ସପୋସାଟ୍ ଅର୍ଥାତ୍ ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ର ଉତ୍କ୍ଷେପଣ ଚଳିତ ବର୍ଷ ହେବ । ଏହା ଦେଶର ପ୍ରଥମ ପୋଲାରିମିଟର ସାଟେଲାଇଟ୍ । ଏହା ମହାକାଶରେ ଏକ୍ସରେ ଉତ୍ସଗୁଡ଼ିକର ଅଧ୍ୟୟନ କରିବ । ଏହାର ଉତ୍କ୍ଷେପଣ ତାରିଖ ଖୁବ୍ଶୀଘ୍ର ଘୋଷଣା ହେବ ।
ଇସ୍ରୋ ମୁଖ୍ୟ ଡ. ଏସ୍ ସୋମନାଥ କହିଛନ୍ତି, ଏକ କ୍ଲାଇମେଟ୍ ଅବ୍ଜର୍ଭେସନ ସାଟେଲାଇଟ୍ ମଧ୍ୟ ଲଞ୍ଚ୍ ହେବ, ଯାହାର ନାମ ଇନ୍ସାଟ୍୩ଡିଏସ୍ । ଏହା ପାଣିପାଗ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବ । ତେବେ ସବୁଠୁ ବଡ଼ ମିଶନ୍ ହେବ ଗଗନଯାନ । ଏହାର କ୍ରୁ ମଡ୍ୟୁଲର ମାନବରହିତ ଉଡ଼ାଣ ପରୀକ୍ଷା ହେବ । ଦୁଇ ଥର କ୍ରୁ ମଡ୍ୟୁଲର ମାନବରହିତ ଉଡ଼ାଣ ପରୀକ୍ଷଣ ପରେ ଭାରତୀୟ ମହାକାଶଚାରୀଙ୍କୁ ଗଗନଯାନରେ ମହାକାଶକୁ ପଠାଯିବ । ଅର୍ଥାତ୍ ଭାରତରେ ନିର୍ମିତ ଟେକ୍ନୋଲୋଜି, କ୍ୟାପ୍ସୁଲ ଓ ରକେଟ୍ରେ ଦେଶର ମହାକାଶଚାରୀ ମହାକାଶ ଯାତ୍ରା କରିବେ ।
ଏହା ପରେ ଭାରତ ଓ ଆମେରିକାର ଯୁଗ୍ମ ମିଶନ୍ ‘ନିସାର’ ବା ଇଣ୍ଡିଆ-ୟୁଏସ୍ ବିଲ୍ଟ ସିନ୍ଥେଟିକ୍ ଅପର୍ଚର ରାଡାର ଲଞ୍ଚ୍ ହେବ । ନିସାର ଯୋଗୁ ପୃଥିବୀ ଆଡ଼କୁ ଆସୁଥିବା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରାଯାଇ ପାରିବ । ନିସାରକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରାଯିବ । ଏହା ପ୍ରତି ୧୨ ଦିନରେ ବିଶ୍ୱର ନକ୍ସା ପ୍ରସ୍ତୁତ କରିବ ।
ଲଗାତାର ପୃଥିବୀର ପରିସଂସ୍ଥାନ, ବରଫ ମାତ୍ରା, ବୃକ୍ଷଲତା, ବାୟୋମାସ, ସମୁଦ୍ର ଜଳସ୍ତର, ଭୂଜଳ ସ୍ତର, ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପ, ସୁନାମି, ଆଗ୍ନେୟଗିରି ଓ ଭୂସ୍ଖଳନ ଆଦି ଉପରେ ଏହା ନଜର ରଖିବ । ନିସାରରେ ଏଲ୍ ଓ ଏସ୍ ଡୁଆଲ ବ୍ୟାଣ୍ଡ ସିନ୍ଥେଟିକ୍ ଅପର୍ଚର ରାଡାର ଲାଗିଛି, ଯାହା ବିଶାଳ ଅଞ୍ଚଳର ହାଇ ରିଜୋଲ୍ୟୁସନ୍ ତଥ୍ୟ ପ୍ରଦାନ କରିବ । ଏଥିରେ ଇଣ୍ଟିଗ୍ରେଟେଡ୍ ରାଡାର ଇନ୍ଷ୍ଟ୍ରୁମେଣ୍ଟ୍ ଷ୍ଟ୍ରକ୍ଚର (ଆଇଏସ୍ଆର୍ଆଇ) ମଧ୍ୟ ଲାଗିଛି । ଭଉୟ ମିଶି ଏକ ଅବ୍ଜର୍ଭେଟୋରି କାମ କରିବେ ।
ଇସ୍ରୋ ପ୍ରମୁଖ ଆହୁରି କହିଛନ୍ତି, ଏ ବର୍ଷ ଇସ୍ରୋ ଭାରୀ ମାତ୍ରାରେ ଦେଶର ସୁରକ୍ଷା ସମ୍ବନ୍ଧୀୟ ସାଟେଲାଇଟ୍ ନିର୍ମାଣ କରୁଛି । ଗଗନଯାନ ମିଶନ୍ର ମାନବରହିତ କ୍ରୁ ମଡ୍ୟୁଲ ଆସନ୍ତା ବର୍ଷ ଉପଲବ୍ଧ ହେବ । ଏହି ପରୀକ୍ଷଣ ସଫଳ ହେଲେ ମହାକାଶକୁ ମାନବ ମିଶନ୍ର କ୍ଷମତାଯୁକ୍ତ ଦେଶ ତାଲିକାରେ ଭାରତ ସାମିଲ ହେବ । ନିଜସ୍ୱ କୌଶଳ ଓ ଯନ୍ତ୍ରପାତି ଜରିଆରେ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ଭାରତ ସକ୍ଷମ ବୋଲି ଦର୍ଶାଇବା ଗଗନଯାନ ମିଶନ୍ର ଉଦ୍ଦେଶ୍ୟ ।
ଏଥିପାଇଁ ଅର୍ବିଟାଲ ମଡ୍ୟୁଲ ହେବ, ଯାହାର ଦୁଇଟି ଅଂଶ ରହିବ । କ୍ରୁ ମଡ୍ୟୁଲରେ ମହାକାଶଚାରୀ ରହିବେ । ଅନ୍ୟ ସର୍ଭିସ୍ ମଡ୍ୟୁଲ ରହିବ, ଯାହା କ୍ରୁ ମଡ୍ୟୁଲକୁ ଉର୍ଜ୍ଜା ପ୍ରଦାନ କରିବ । କ୍ରୁ ମଡ୍ୟୁଲରେ ମହାକାଶଚାରୀଙ୍କୁ ପୃଥିବୀରୁ ପ୍ରାୟ ୪୦୦ କିମି ଦୂର ମହାକାଶକୁ ୧-୩ ଦିନ ପାଇଁ ପଠାଯିବ । ଏହି ମଡ୍ୟୁଲ ପୃଥିବୀ ଚତୁପାଶ୍ୱର୍ରେ ଗୋଲାକାର କକ୍ଷରେ ପରିକ୍ରମା କରିବ । ଏହା ପରେ ନିର୍ଦ୍ଧାରିତ ସ୍ଥାନରେ ସମୁଦ୍ରରେ ଅବତରଣ କରିବ ।