ବିସ୍ଫୋରକ ନିୟମରୁ ‘ଇସ୍ରୋ’ଙ୍କୁ ରିହାତି, ପଡିବନି ମଞ୍ଜୁରୀର ଆବଶ୍ୟକତା
29/11/2022 at 6:12 PM

ନୂଆଦିଲ୍ଲୀ ୨୯।୧୧: କେନ୍ଦ୍ର ସରକାର ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ଙ୍କ ବିସ୍ଫୋରକର ଉପଯୋଗ ଲାଗି କଟକଣା ଉଠାଇ ଦେଇଛନ୍ତି। ଏଥିଲାଗି ଥିବା ବ୍ୟବସ୍ଥାରୁ ଇସ୍ରୋଙ୍କୁ ରିହାତି ମିଳିଛି। ଫଳରେ ଅନ୍ତରୀକ୍ଷ ଏଜେନ୍ସୀଙ୍କୁ ରକେଟ ଲାଗି କଠିନ ଇନ୍ଧନ (ସଲିଡ ପ୍ରପେଲାଣ୍ଟ)ର ନିର୍ମାଣ, ଷ୍ଟୋର, ପରିବହନ ଓ ଉପଯୋଗ କରିବା ଲାଗି ଏଣିକି ଆଉ ମଞ୍ଜୁରି ନେବାକୁ ପଡିବନି।

ଉଲ୍ଲେଖଯୋଗ୍ୟ ଯେ ରକେଟ୍ ନିମନ୍ତେ ସଲିଡ ପ୍ରପେଲାଣ୍ଟ ମୁଖ୍ୟ ଇନ୍ଧନ। ଏଣୁ ଏଥିଲାଗି ଇସ୍ରୋଙ୍କୁ ଡିପାର୍ଟମେଣ୍ଟ ଅଫ ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ଏଣ୍ଡ ଇଣ୍ଟରନାଲ ଟ୍ରେଡ (ଡିପିଆଇଆଇଟି) ଓ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଙ୍ଗଠନ (ପିଇଏସଓ)ଙ୍କ ଉପଯୋଗ ଲାଇସେନ୍ସ ନେବାକୁ ପଡୁଥିଲା। ଇସ୍ରୋଙ୍କୁ ଏଥିରୁ ରିହାତି ଦିଆଯାଇଥିବା ଡିପିଆଇଆଇଟି ସୂଚିତ କରିଛନ୍ତି। ତେବେ ଏଥି ପାଇଁ କିଛି ସର୍ତ୍ତ ଥିବା ମଧ୍ୟ କହିଛନ୍ତି।