ଖାନ୍ ୟୁନିସ୍ ସହରରେ ଆଇଡିଏଫର ଏୟାର ଷ୍ଟ୍ରାଇକ୍; ୧୦ ମୃତ, ଅନେକ ଆହତ

Published By : Prameya-News7 Bureau | August 13, 2024 IST

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସେନାର ନରସଂହାର ଜାରି । ଏଥର ଖାନ୍ ୟୁନିସ୍ ସହରକୁ ଟାର୍ଗେଟ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଖାନ୍ ୟୁନିସ୍ ସହର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଆବାସାନ ଅଲ-କବିରା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି ଆଇଡିଏଫ । ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହା ପୂର୍ବରୁ ଗାଜା ସିଟିର ଜୈଟୁନ ଅଞ୍ଚଳରେ ଇସ୍ରାଏଲ ସେନା ବୋମା ବର୍ଷା କରିଥିଲା । ଏହି ହମଲାରେ ୫ଜଣଙ୍କ ଜୀବନ ଯାଇଛି । ସେହିପରି ରାଫା ସିଟିରେ ମଧ୍ୟ ୨ଜଣଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲ ସେନାର ନରସଂହାରକୁ ନେଇ ଆମେରିକାକୁ ଟାର୍ଗେଟ୍ କରିଛି ଇରାନ । ରାଷ୍ଟ୍ରପତି ମସୁଦ୍‌ ପଜଶକିୟାନ କହିଛନ୍ତି, ଆମେରିକା ଏବଂ କିଛି ୟୁରୋପୀୟ ଦେଶଙ୍କ ସହଯୋଗରେ ଇସ୍ରାଏଲ ସେନା ବାରମ୍ବାର ରକ୍ତର ହୋଲି ଖେଳୁଛି । ଗାଜା ସହର ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ଲାଗିଛି । ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି । ଇସ୍ରାଏଲ-ହମାସ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୯,୮୯୭ଜଣ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ ୯୨,୧୫୨ଜଣ ଗାଜାରୁ ବିସ୍ଥାପିତ ହୋଇଛନ୍ତି । 

୨୦୨୩ ଅକ୍ଟୋବର ୨୩ ତାରିଖରେ ହମାସ ଆତଙ୍କବାଦୀ ଇସ୍ରାଏଲ ସୀମାନ୍ତରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ସେମାନେ ପ୍ରାୟ ୧୨ଶହ ଲୋକଙ୍କୁ ହତ୍ୟା କରିଥିଲେ ।  ଏହାଛଡ଼ା ୨୫୦ ଲୋକଙ୍କୁ ଅପହରଣ କରିଥିଲେ । ଏହା ପରଠୁ ରକ୍ତମୁଖା ହୋଇଛି ଇସ୍ରାଏଲ ସେନା । ପାଲେଷ୍ଟାୟୀନରୁ ହମାସ ଶେଷ ନହେବା ଯାଏ ଆକ୍ରମଣ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ । ସେବେଠୁ ଇସ୍ରାଏଲ ସେନା ହମଲା ଜାରି ରଖିଛି ।...      

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.