ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ କଥା ହେଲେ ପିଏମ ମୋଦୀ, ଏହି ସବୁ ପ୍ରସଙ୍ଗ ଉପରେ କଲେ ଚର୍ଚ୍ଚା
8/02/2023 at 11:16 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ବୁଧବାର ଫୋନ ଯୋଗ କଥା ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ଘନିଷ୍ଠତା ଏବଂ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ମଜଭୂତ କରିବା ଦିଗରେ ଚର୍ଚ୍ଚା କରିଛନ୍ତି । ନେତନ୍ୟାହୁ ଏବଂ ପିଏମ ମୋଦୀ ଉଭୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ସମୟରେ ଉଭୟ ପ୍ରଯୁକ୍ତି, ଅର୍ଥବ୍ୟବସ୍ଥା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୂତ କରିବା ଉପରେ ଇଚ୍ଛା ବ୍ୟକ୍ତ କରିଛନ୍ତି । ଗତବର୍ଷ ଡିସେମ୍ୱରରେ ନେତନ୍ୟାହୁ କ୍ଷମତାକୁ ଫେରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ଆଲୋଚନା ଅଟେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁସାରେ ଦୁଇ ନେତା ପ୍ରାୟ ୨୦ ମିନିଟ୍ ଯାଏ କଥା ହୋଇଥିଲେ ।
ନେତନ୍ୟାହୁ ଟ୍ୱିଟ୍ କରି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଅଧିକ ମଜଭୂତ କରିବା ପାଇଁ ଆଲୋଚନା ହୋଇଛି । ନେତନ୍ୟାହୁ ଲେଖିଛନ୍ତି- ଆମେ ଉଚ୍ଚ ପ୍ରଯୁକ୍ତି ଉପରେ ଧ୍ୟାନ ଦେବା ସହ ସୁରକ୍ଷା ଏବଂ ଆର୍ଥିକ ସମ୍ପର୍କକୁ ଆଗକୁ ବଢାଇବୁ । ସେହିପରି ପିଏମ ମୋଦୀ ଲେଖିଛନ୍ତି ଯେ ପିଏମ ନେତନ୍ୟାହୁଙ୍କ ସହ କଥା ହୋଇ ବହୁମୁଖୀ ଭାରତ-ଇସ୍ରାଏଲ ବନ୍ଧୁତାକୁ ମଜଭୂତ କରିବା ମାର୍ଗ ଉପରେ ଆଲୋଚନା ହୋଇଛି ।
Spoke with PM @netanyahu and discussed ways to strengthen the multifaceted India-Israel friendship, deepen our focus on innovation partnership, and our ongoing cooperation in defence and security.
— Narendra Modi (@narendramodi) February 8, 2023
ନେତନ୍ୟାହୁ ଗତ ବର୍ଷ ଡିସେମ୍ୱରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ଜାନୁଆରୀରେ ସେ ପିଏମ ମୋଦୀଙ୍କ ସହ ଫୋନରେ କଥା ହୋଇଥିଲେ । ସେହି ସମୟରେ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଉପରେ ପିଏମ ମୋଦୀ ଶୁଭେଚ୍ଛା ଜଣାଇଥିଲେ । ଏହା ଦୁଇ ଦେଶ ମଧ୍ୟରେ ନିରନ୍ତର ସହଯୋଗର ମହତ୍ୱ ଉପରେ ବଳ ଦେଇଥିଲେ ।