ଇସ୍ରାଏଲରେ ପୁଣି ଆରମ୍ଭ ହେବ ନେତାନ୍ୟାହୁ ଯୁଗ, ରବିବାର ଗ୍ରହଣ କରିବେ ଦାୟିତ୍ୱ

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ: ଇସ୍ରାଏଲରେ ପୁଣି ଥରେ ବେଞ୍ଜାମିନ ନେତାନ୍ୟାହୁ ଯୁଗ ଆରମ୍ଭ ହେବାକୁ ଯାଉଛି । ସବୁଠୁ ଦୀର୍ଘ ସମୟ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶାସନ କରିଥିବା ନେତାନ୍ୟାହୁ ରବିବାର ପୁଣି ଶାସନ ଗାଦିରେ ବସିବେ । ଶୁକ୍ରବାର ଅନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି । ସାଂସଦଙ୍କ ସହ ବିଚାର ବିମର୍ଶ କରିବା ପରେ ଇସ୍ରାଏଲ ରାଷ୍ଟ୍ରପତି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ନୂଆ ସରକାର ଗଠନ ପାଇଁ ଆନୁଷ୍ଠାନିକ ଜନାଦେଶ ହାସଲ କରିବେ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ୱରରେ ହୋଇଥିବା ଉପନିର୍ବାଚନରେ ନେତାନ୍ୟାହୁ ଏବଂ ଦକ୍ଷିଣପନ୍ଥୀ ସହଯୋଗୀଙ୍କ ସହ ସଂସଦରେ ସ୍ପଷ୍ଟ ବହୁମତ ହାସଲ କରିଥିଲେ । ଏହା ପରେ ଇସ୍ରାଏଲର ଏହି ରାଜନେତା ପୁଣି ଥରେ କ୍ଷମତାକୁ ଫେରିଥିଲେ ।

ଇସ୍ରାଏଲର ୧୨୦ ସଦସ୍ୟ ଥିବା ସଂସଦରେ ୬୪ ଜଣ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପତ୍ର ଲେଖିଥିଲେ । ବୟାନ ଅନୁସାରେ ରବିବାର ସରକାର ଗଠନ ପାଇଁ ନେତାନ୍ୟାହୁଙ୍କ ଆମନ୍ତ୍ରଣ କରାଯାଇଛି । ଏବେ ନେତାନ୍ୟାହୁଙ୍କ ପାଖରେ ସରକାର ଗଠନ ପାଇଁ ୨୮ ଦିନର ସମୟର ରହିଛି। ଏହାସହ ଆବଶ୍ୟକ ସ୍ଥଳେ ୧୪ ଦିନର ଅତିରିକ୍ତ ସମୟ ମଧ୍ୟ ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ନେତାନ୍ୟାହୁ ୧୯୯୬ରୁ ୧୯୯୯ ଯାଏଁ ଇସ୍ରାଏଲର ନେତୃତ୍ୱ ନେଇଥିଲେ । ଏହାପରେ ସେ ୨୦୦୯ରୁ ୨୦୨୧ ଯାଏ ପୁଣି ଥରେ ନିଜ ଦେଶର ନେତୃତ୍ୱ ନେଇଥିଲେ । ଏହିପରି ସେ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.