ଗାଜାରେ ରକ୍ତର ହୋଲି ଖେଳ; ଶରଣାର୍ଥୀ ଶିବିର ଉପରେ ବୋମା ମାଡ଼, ୯୦ ମୃତ

Published By : Prameya-News7 Bureau | July 14, 2024 IST

ନୂଆଦିଲ୍ଲୀ: ଗାଜାରେ ରକ୍ତର ହୋଲି ଖେଳୁଛି ଇସ୍ରାଏଲ ସେନା । ଖାନ୍ ୟୁନିସ୍‌ରେ ଥିବା ଶରଣାର୍ଥୀ ଶିବିରକୁ ଆକ୍ରମଣ କରିଛି ଆଇଡିଏଫ । ପ୍ରଚଣ୍ଡ ବୋମା ମାଡ଼ରେ ପ୍ରାୟ ୯୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୮୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।    

ଖାନ୍ ୟୁନିସ୍‌ ସହରର ଏକ ଖୋଲା ସ୍ଥାନରେ  ଶରଣାର୍ଥୀମାନେ ତମ୍ବୁ ଟାଣି ରହୁଥିଲେ । ଶନିବାର ଅଚାନକ  ଇସ୍ରାଏଲ୍‌ ସେନା ଆକ୍ରମଣ କରିଥିଲା । ଆକାଶରୁ ଘନଘନ ବୋମା ମାଡ଼ ହୋଇଥିଲା । ହମାସ୍‌ ପରିଚାଳିତ ଗାଜା ସରକାର ଏହି  ଆକ୍ରମଣକୁ ‘ସାଙ୍ଘାତିକ ହତ୍ୟାକାଣ୍ଡ’  ବିବେଚନା କରିଛି । ମୃତକଙ୍କ ମଧ୍ୟରେ ଜରୁରି ସେବାରେ ନିୟୋଜିତ କର୍ମୀମାନେ ବି ପ୍ରାଣ ହରାଇଛନ୍ତି । ଖାନ୍‌ ୟୁନିସ୍‌ର ପଶ୍ଚିମ ଭାଗରେ ଏହି ଶିବିର ରହିଛି । ଏହି ହମଲା ପରେ ସଫେଇ ଦେଇ ଇସ୍ରାଏଲ୍‌ ସେନା କହିଛି, ପ୍ରକୃତରେ ହମାସ୍‌ର  ସେନା କମାଣ୍ଡର ମହମ୍ମଦ ଡେଇଫ୍‌କୁ  ଟାର୍ଗେଟ୍‌ କରାଯାଇଥିଲା । ଭୁଲବଶତଃ  ଶରଣାର୍ଥୀ ଶିବିର ପ୍ରଭାବିତ ହୋଇଥିଲା । 

ଅନ୍ୟପକ୍ଷରେ ହମାସ୍‌ ଏହାକୁ ଖଣ୍ଡନ  କରିଛି । ଇସ୍ରାଏଲ୍‌ ଜାଣିଶୁଣି ଅଲ୍‌ମୱାସି ଶରଣାର୍ଥୀ ଶିବିରକୁ ଟାର୍ଗେଟ୍‌ କରିଥିଲା ବୋଲି କହିଛି ହମାସ୍ । ଏଥିରେ ନିରୀହ ତଥା ନିରସ୍ତ୍ର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।  ଇସ୍ରାଏଲ୍‌ ପକ୍ଷରୁ ଯୋଜନାବଦ୍ଧ ଭାବେ  ଏହି ଆକ୍ରମଣ ହୋଇଥିବା ହମାସ୍‌ କହିଛି । ଗାଜାରେ ଇସ୍ରାଏଲ୍‌ ପକ୍ଷରୁ ନିୟମିତ ବ୍ୟବଧାନରେ ବଡ଼ଧରଣର ଆକ୍ରମଣ   କରାଯାଉଛି । ଏଥିରେ ଅନେକ ଲୋକ ମୃତାହତ ହେଉଛନ୍ତି । 

ହମାସ୍‌ ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  ମୁତାବକ, ଯୁଦ୍ଧ ଯୋଗୁ ଏ ପର୍ଯ୍ୟନ୍ତ ଗାଜାରେ  ୩୮ ହଜାର ୪ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା  ବେଳେ ୮୮ ହଜାର ୨୯୫ ଜଣ ଆହତ  ହୋଇଛନ୍ତି । ଅକ୍ଟୋବର ୭ରେ ହମାସ୍‌  ଆତଙ୍କୀମାନେ ଇସ୍ରାଏଲ୍‌ ଉପରେ ଆକ୍ରମଣ  କରିଥିଲେ । ଏହାପରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି । ପାଲେଷ୍ଟାଇନ୍‌ର ବିଦେଶ  ମନ୍ତ୍ରଣାଳୟ ପକ୍ଷରୁ ଇସ୍ରାଏଲ୍‌ର ସଦ୍ୟ  ଆକ୍ରମଣକୁ ନିନ୍ଦା କରାଯାଇଛି । ସୋସିଆଲ୍‌  ମିଡିଆରେ ଏହା କହିଛି, ଇସ୍ରାଏଲ୍‌କୁ  ସମର୍ଥନ କରୁଥିବା ଦେଶଗୁଡ଼ିକ ନିଜ ବିବେକ  ଓ ନୈତିକତାକୁ ଉଜାଗର କରିବା ଆବଶ୍ୟକ ।  ଯୁଦ୍ଧକୁ ରୋକିବା ପାଇଁ ହେଉଥିବା ଅନ୍ତର୍ଜାତୀୟ  ଉଦ୍ୟମକୁ ସମସ୍ତେ ସମର୍ଥନ କରିବା ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.