ଇସ୍ରାଏଲରେ ୪୨ ହଜାର ଭାରତୀୟଙ୍କୁ ମିଳିବ ନିଯୁକ୍ତି, ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷର

Published By : Prameya-News7 Bureau | May 10, 2023 IST

ନୂଆଦିଲ୍ଲୀ: ଆଗାମୀ ଦିନରେ ବଡ଼ ସଂଖ୍ୟାରେ କୁଶଳୀ ଭାରତୀୟଙ୍କୁ ଇସ୍ରାଏଲରେ ଅସ୍ଥାୟୀ ରୂପେ ନିଯୁକ୍ତି ମିଳିବା ବାଟ ଫିଟିଛି । ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ଉପରେ ହସ୍ତାକ୍ଷର ହୋଇଛି । ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୨,୦୦୦ ଭାରତୀୟଙ୍କୁ ଇସ୍ରାଏଲରେ ନିର୍ମାଣ ଏବଂ ନର୍ସିଂ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିବ ।

ଭାରତରୁ ଶ୍ରମ ଶକ୍ତି ମିଳିବା ପରେ ଇସ୍ରାଏଲରେ ବସବାସ ପାଇଁ ଥିବା ସମସ୍ୟାର ମୁକାବିଲା ହୋଇପାରିବ । ଏହାସହ ନର୍ସିଂ ସେବା ପାଇଁ ଅପେକ୍ଷାରେ ଥିବା ହଜାର ହଜାର ପରିବାର ଉପକୃତ ହୋଇପାରିବେ ।

ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ୩୪ ହଜାର ଶ୍ରମିକଙ୍କୁ ନିର୍ମାଣ କ୍ଷେତ୍ର ଏବଂ ଅନ୍ୟ ଆଠ ହଜାରଙ୍କୁ ନର୍ସିଂରେ ନିଯୁକ୍ତି ଦିଆଯିବ । ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସହ ଅଲଗା ଅଲଗା ବୈଠକ କରିଛନ୍ତି ।

ଭାରତୀୟ ନେତାଙ୍କ ସହ ତାଙ୍କ ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟମରେ ବର୍ତ୍ତମାନର ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯାଇଛି ଏବଂ ରଣନୀତିକ ସମ୍ପର୍କରୁ ଅଧିକ ମଜଭୁତ କରିବା ଉପାୟ ଉପରେ ଆଲୋଚନା କରିଛନ୍ତି । ଏହି କ୍ରମରେ ଭାରତର କୁଶଳୀ ଶ୍ରମିକଙ୍କୁ ଇସ୍ରାଏଲରେ ଅସ୍ଥାୟୀ ରୋଜଗାର ଦେବା ବୁଝାମଣା ଉପରେ ହସ୍ତାକ୍ଷର ହୋଇଛି । ଭବିଷ୍ୟତରେ ଏଥିରେ ଆହୁରି ବିସ୍ତାର ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.