ପ୍ରତିଶୋଧ ନିଆଁରେ ନେତାନ୍ୟାହୁ; ପ୍ରତିଆକ୍ରମଣ ଲାଗି ଗୁରୁବାର ବସିବ ଇସ୍ରାଏଲ୍ ଓ୍ବାର କ୍ୟାବିନେଟ୍

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ଭୟଙ୍କର ଯୁଦ୍ଧର ସୂତ୍ରପାତ ହେବ ! ପ୍ରତିଶୋଧ ନିଆଁ ଜଳୁଛନ୍ତି ବେଞ୍ଜାମିନ୍ ନେତାନ୍ୟାହୁ । ଇରାନ ଆକ୍ରମଣର ପ୍ରତିଶୋଧ ନେବ ଇସ୍ରାଏଲ । ଏନେଇ ଅନ୍ତିମ ନିଷ୍ପତ୍ତି ନେବାକୁ ଓ୍ବାର କ୍ୟାବିନେଟ୍ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଇରାନ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହଉେଛି । ସବୁଠୁ ବଡ଼ କଥା ହେଉଛି, ଇରାନ୍ ଉପରେ ଆକ୍ରମଣ ଲାଗି ଇସ୍ରାଏଲକୁ ସମର୍ଥନ କରିବ ନାହିଁ ଆମେରିକା । ଏନେଇ ପେଣ୍ଟାଗନ ସ୍ପଷ୍ଟ କରିଛି । 

ଇରନାର ମିସାଇଲ୍ ଆକ୍ରମଣର ଜବାବ କେବେ ଓ କେମିତି ଦିଆଯିବ ସେନେଇ ନିଷ୍ପତ୍ତି ନେବ ଇସ୍ରାଏଲ । ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବରେ ଓ୍ବାର କ୍ୟାବିନେଟ୍‌ ଏବଂ ସୁରକ୍ଷା କ୍ୟାବିନେଟ୍ ଏହା ଉପରେ ମିଳିତ ଭାବେ ବୈଠକ କରିବେ । ଯୁଦ୍ଧ ନେଇ ଇସ୍ରାଏଲ ନିଜେ ନିଷ୍ପତ୍ତି ନେବ ବୋଲି ନେତାନ୍ୟାହୁ କହିଛନ୍ତି । ଇସ୍ରାଏଲ ଗସ୍ତରେ ଆସିଥିବା ବ୍ରିଟେନ ଏବଂ ଜର୍ମାନୀର ବୈଦେଶିକ ମନ୍ତ୍ରୀଙ୍କୁ ନେତାନ୍ୟାହୁ ଏନେଇ ସୂଚନା ଦେଇଛନ୍ତି । ୧୩-୧୪ ଏପ୍ରିଲରେ ଇରାନ୍ର ୩୫୦ ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା । ଏହାର ଜବାବ ଦେବାକୁ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲ ସେନା ମନସ୍ଥ କରିସାରିଛନ୍ତି । ଏଭଳି ସ୍ଥିତିରେ ଇସ୍ରାଏଲ ସାମ୍ନାରେ ଦୁଇ ଦୁଇଟି ଆହ୍ବାନ ରହିଛି । ପ୍ରଥମତଃ ଇରାନ ଉପରେ ଆକ୍ରମଣ କରିବା ଲାଗି ଇସ୍ରାଏଲକୁ ସବୁଜ ସଂକେତ ଦେଇନାହିଁ ଆମେରିକା । ଅନ୍ୟପଟେ ହିବ୍ରୁ ୟୁନିଭର୍ସିଟରେ ହୋଇଥିବା ଓପିନିୟନ ପୋଲ୍‌ ଅନୁସାରେ, ୭୪ ପ୍ରତିଶତ ଲୋକ ବିଶ୍ବାସ କରୁଛନ୍ତି ଯଦି ସହଯୋଗୀ ଦେଶଙ୍କ ଅନୁମତି ମିଳିନାହିଁ ତେବେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଉଚିତ ହେବ ନାହିଁ ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଦୂରତା ୧୫୦୦ କିଲୋମିଟର । ଆକାଶମାର୍ଗରେ ଇରାନ ଉପରେ ଆକ୍ରମଣ କରିବାକୁ ହେଲେ ଇସ୍ରାଏଲକୁ ଜୋର୍ଡାନ, ଇରାକ ଏବଂ ସିରିୟାର ଆକାଶମାର୍ଗର ବ୍ୟବହାର କରିବାକୁ ପଡ଼ିବ । ଇରାନ ୩୫୦ରୁ ଅଧିକ ମିସାଇଲ ଏବଂ ଡ୍ରୋନ୍‌ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ନିଶ୍ଚିତ ରୂପେ ଏହାଠୁ ଅଧିକ ମିସାଇଲ ମାଡ଼ କରିପାରେ । ସବୁଠୁ ବଡ଼ କଥା ହେଉଛି ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ପ୍ରତିଆକ୍ରମଣ ପାଇଁ ଇରାନ୍ ମଧ୍ୟ ଯୋଜନା କରିସାରିଛି ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.