ଗାଜାରେ IDFର ଗ୍ରାଉଣ୍ଡ ଅପରେସନ; ନେତାନ୍ୟାହୁ କହିଲେ ୨ୟ ସ୍ବାଧୀନତା ପାଇଁ ଲଢେଇ
29/10/2023 at 9:53 AM

ନୂଆଦିଲ୍ଲୀ: ଗତ ତିନି ସପ୍ତାହ ଧରି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲର ରକେଟ୍ ମାଡ଼, ହମାସ ଆତଙ୍କୀ ସଂଗଠନ ଉପରେ ଭାରି ପଡ଼ୁଛି । ଧ୍ବଂସ ସ୍ତୁପରେ ପରିଣତ ହେଲାଣି ଗାଜାପଟ୍ଟୀ । ଏହି ଭୟଙ୍କର ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯ ହଜାର ପାର୍ କଲାଣି । ସେହିପରି ହଜାର ହଜାର ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି । ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଏବେ ଯୁଦ୍ଧର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ଏହା ସ୍ବାଧୀନତା ପାଇଁ ଦ୍ବିତୀୟ ଲଢେଇ । ଏହି ପର୍ଯ୍ୟାୟ ଯୁଦ୍ଧ ଲମ୍ବା ଏବଂ ମୁସ୍କିଲ ହେବା କିନ୍ତୁ ଇସ୍ରାଏଲ ସେନା ପଛକୁ ହଟିବ ନାହିଁ । ଏହା ଆରମ୍ଭ ମାତ୍ର ବୋଲି ପିଏମ୍ ନେତାନ୍ୟାହୁ କହିଛନ୍ତି ।
ନେତାନ୍ୟାହୁ କହିଛନ୍ତି, ଗାଜା ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମା ବର୍ଷା ହେବା ପରେ ଶନିବାର ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଗାଜା ଭିତରକୁ ପ୍ରବେଶ କରିଛି । ଏହା ସହିତ ଯୁଦ୍ଧର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ହମାସ ଆତଙ୍କବାଦୀଙ୍କୁ ବର୍ବାଦ କରିବା ଏବଂ ଇସ୍ରାଏଲର ପଣବନ୍ଦୀଙ୍କୁ ମୁକ୍ତ କରିବା । ଆଇଡିଏଫ୍ ଗ୍ରାଉଣ୍ଡ ଅପରେସନକୁ ବିସ୍ତାର କରିବାକୁ କ୍ୟାବିନେଟ୍ ଓ ସୁରକ୍ଷା କ୍ୟାବିନେଟ୍ ବୈଠକରେ ସର୍ବସମ୍ମତି ଭାବେ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ।
ଇସ୍ରାଏଲ ଡିଫେନ୍ସ ଫୋର୍ସ ହମାସରେ ଶତ୍ରୁ ଉପରେ ଭାରି ପଡ଼ୁଛି । ଯବାନଙ୍କ ସହିତ ସରକାର ଓ ଇସ୍ରାଏଲବାସୀ ଛିଡ଼ା ହୋଇଛନ୍ତି ଏବଂ ତାଙ୍କ ମନୋବଳ ବୃଦ୍ଧି କରୁଛନ୍ତି । ସେପଟେ ଯବାନମାନଙ୍କ ସହିତ ପିଏମ୍ ନେତାନ୍ୟାହୁ ସାକ୍ଷାତ କରିଛନ୍ତି । ଗାଜା ଉପରେ ଆଇଡିଏଫ ଭାରି ପଡ଼ୁଛି । ବୋମା ମାଡ଼ରେ ଏପର୍ଯ୍ୟନ୍ତ ସାଢେ ସାତ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୪ଶହରୁ ଅଧିକ ଇସ୍ରାଏଲ ଲୋକ ପ୍ରାଣ ହରାଇଛନ୍ତି ।