ଇମରାନ୍ ଖାନ୍ଙ୍କୁ ବଡ଼ ଆଶ୍ବସ୍ତି, ଗିରଫ ଓ୍ବାରେଣ୍ଟ ଉପରେ ରୋକ୍ ଲଗାଇଲେ ଇସଲାମାବାଦ ହାଇକୋର୍ଟ
17/03/2023 at 6:52 PM

ନୂଆଦିଲ୍ଳୀ, ୧୭/୦୩: ପାକିସ୍ତାନରେ ଜାରି ରହିଛି ସତ୍ତାକୁ ନେଇ ସଂଘର୍ଷ। ଦେଶରେ ଇମରାନଙ୍କୁ ନେଇ ଯେଉଁ ଘଟଣା ଘଟୁଛି ସେଥିରେ ରାଜନୀତି ମଧ୍ୟ ସରଗରମ ରହିଛି। ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଶୁକ୍ରବାର ଇସଲାମାବାଦ ହାଇକୋର୍ଟ ତୋଶଖାନା ମାମଲାରେ ଇମରାନଙ୍କ ଗିରଫ ଓ୍ବାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି।
ସୂଚନାଥାଉ, ଚଳିତ ସପ୍ତାହ ଆରମ୍ଭରେ ଇସଲାମାବାଦ ପୋଲିସ୍ ତୋଶଖାନା ମାମଲାରେ ଇସଲାମାବାଦର ଏକ ସେଶନ କୋର୍ଟ ତରଫରୁ ଜାରି ହୋଇଥିବା ଜାମିନ୍ ବିହୀନ ଓ୍ବାରେଣ୍ଟ ଅନୁଯାୟୀ ଇମରାନ ଖାନ୍ଙ୍କୁ ପୋଲିସ୍ ଗିରଫ କରିବା ପାଇଁ ତାଙ୍କର ଜମାନ ପାର୍କ ସ୍ଥିତ ଘରେ ପହଞ୍ଚିଥିଲା।
କିନ୍ତୁ ସେଠାରେ ଇମରାନଙ୍କ ସମର୍ଥକ ଏବଂ ପୋଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଲାହୋର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କର ଗିରଫଦାରୀ ଉପରେ ସାମୟିକ ରୋକ୍ ଲାଗିଥିଲା। ତେବେ ଏହି ଓ୍ବାରେଣ୍ଟ ଉପରେ ପୁଣି ଥରେ ରୋକ୍ ଅବଧିକୁ ପୁଣି ବଢ଼ାଇଛନ୍ତି କୋର୍ଟ। ସୂଚନା ଅନୁଯାୟୀ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ତାଙ୍କର ଗିରଫ ଉପରେ ରୋକ୍ ଲଗାଇଛନ୍ତି। ଏହା ସହ ଇମରାନଙ୍କୁ କୋର୍ଟରେ ହାଜର ହେବା ପାଇଁ କହିଛନ୍ତି ଇସଲାମାବାଦ କୋର୍ଟ।
ସେପେଟେ ଗିରଫଦାରୀ ଉପରେ ରୋକ୍ ଲଗିବା ପରେ ଇମରାନ ଏକ ଟ୍ବିଟ୍ କରି ତାଙ୍କର ସମର୍ଥକଙ୍କୁ ଧନ୍ୟବାଦ ଦେବା ସହ। ପାକିସ୍ତାନ ଲୋକତନ୍ତ୍ର ପ୍ରତି ନିଜର ପ୍ରତିବଦ୍ଧତା ଉପରେ ଜୋର୍ ଦେଇଛନ୍ତି।