ଇସ୍‌କନ୍‌ ବ୍ୟାନ୍ କରିବାକୁ କୋର୍ଟରେ ମାମଲା: ବାଂଲାଦେଶ ସରକାର କହିଲେ, ଧାର୍ମିକ ଚରମପନ୍ଥୀ ସଂଗଠନ

Published By : Prameya-News7 Bureau | November 27, 2024 IST

indiatoday

ନୂଆଦିଲ୍ଲୀ: ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ସମ୍ପୂର୍ଣ୍ଣ ବିତାଡ଼ିତ କରିବାକୁ ବାଂଲାଦେଶରେ ଏକ ପ୍ରକାର ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ସେଠାରେ ଥିବା ଇସ୍‌କନ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବାକୁ ବାଂଲାଦେଶର ଏକ ହାଇ କୋର୍ଟରେ ଲିଖିତ ଅଭିଯୋଗ ହୋଇଛି। ବୁଧବାର ଏହି ମାମଲାରେ ଶୁଣାଣି ହୋଇଥିଲା। ଲିଖିତ ଆବେଦନ ଉପରେ ବାଂଲାଦେଶ ସରକାର ଜବାବ ରଖି କହିଛନ୍ତି “ଇସକନ ଏକ ଧାର୍ମିକ ଚରମପନ୍ଥୀ ସଂଗଠନ।”

ଇସକନର ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିବା ପରଠାରୁ ବାଂଲାଦେଶ ଅଶାନ୍ତ ରହିଛି। ଚିନ୍ମୟଙ୍କ ସମର୍ଥକମାନେ ଦେଶରେ ଆନ୍ଦୋଳନ ଜାରି ରଖିଛନ୍ତି। ବାଂଲାଦେଶର ଇସଲାମିକ ଚରମପନ୍ଥୀମାନେ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା, ହିନ୍ଦୁଙ୍କ ଉପରେ ଆକ୍ରମଣ ହତ୍ଯା ଲୁଟପାଟ୍ କରିବା ବିରୋଧରେ ବାଂଲାଦେଶୀ ହିନ୍ଦୁ ଆନ୍ଦୋଳନ ତୀବ୍ର କରିଛନ୍ତି। ଯାହାକୁ ନେଇ ଇସକନ ବ୍ଯାନ୍ କରିବାକୁ ବାଂଲାଦେଶର ଏକ ହାଇକୋର୍ଟରେ ଆବେଦନ ହୋଇଛି। 

ଇସକନ ବ୍ଯାନ୍ କରିବାକୁ ବୁଧବାର ବାଂଲାଦେଶର ଜଣେ ଓକିଲ ହାଇକୋର୍ଟରେ ଲିଖିତ ଅବେଦନ କରିଥିଲେ। କାରଣ ଚିନ୍ମୟଙ୍କୁ ଜାମିନ ନ ମିଳିବାରୁ ତାଙ୍କ ସମର୍ଥକ ମାନେ ଜଣେ ସରକାରୀ ଓକିଲଙ୍କୁ ହତ୍ଯା କରିଥିବା ଅଭିଯୋଗ କରି ଓକିଲ ଜଣଙ୍କ ଇସକନ ବ୍ଯାନ୍ କରିବାକୁ ଦାବି କରିଛନ୍ତି।   

ମାମଲାରେ ଶୁଣାଣି ବେଳେ କୋର୍ଟ ବାଂଲାଦେଶର ଇସକନର ପ୍ରତିଷ୍ଠା କିପରି ହେଲା ସେନେଇ ଆଟର୍ଣ୍ଣି ଜେନେରାଲଙ୍କୁ ତଥ୍ଯ ମାଗିଥିଲେ। ଉତ୍ତରରେ ଆଟର୍ଣ୍ଣି ଜେନେରାଲ ମହମ୍ମଦ ଆସାଦୁଜ୍ଜମାନ କହିଛନ୍ତି ଏହି ସଂଗଠନ କୌଣସି ରାଜନୈତିକ ଦଳ ନୁହେଁ। ଏହା ଏକ ଧାର୍ମିକ ମୌଳବାଦୀ ସଂଗଠନ। ପୂର୍ବରୁ ସରକାର ଏହାର ଯାଞ୍ଚ କରୁଛନ୍ତି। ଇସକନକୁ ନେଇ ବାଂଲାଦେଶ ସରକାରଙ୍କର ଆଭିମୁଖ୍ଯ କ’ଣ ଓ ଦେଶର ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ପାଇଁ ବାଂଲାଦେଶ ସରକାର ବୁଧବାର ସକାଳ ସୁଦ୍ଧା କଣ ସବୁ ପଦକ୍ଷେପ ନେଉଛନ୍ତି ତାହା ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନା ଥାଉକି କିଛି ସପ୍ତାହ ପୂର୍ବରୁ ଦେଶକୁ ଇସ୍‌ଲାମିକ ଦେଶ ଘୋଷଣା କରିବାକୁ ବାଂଲାଦେଶ ଆଟର୍ଣ୍ଣି ଜେନେରାଲ ପାରମର୍ଶ ଦେଇଥିଲେ। ଦେଶର ୯୦ ପ୍ରତିଶତ ଜନତା ମୁସ୍ଲିମ ହୋଇଥିବାରୁ ଗଣତନ୍ତ୍ର ରାଷ୍ଟ୍ର କରିବାର ଔଚିତ୍ୟ ନାହିଁ ବୋଲି ସେ ତର୍କ ରଖିଥିଲେ।  

ବାଂଲାଦେଶରେ ହୋଇଥିବା ଆବେଦନକୁ ନେଇ ଇସକନ ଉପସଭାପତି ରାଧା ରମଣ ଦାସ ବିଶ୍ୱ ନେତାଙ୍କୁ ନେଇ ମୁହଁ ଖୋଲିବାକୁ ଆହ୍ୱାନ ଜଣାଇଛନ୍ତି। ପରିସ୍ଥିତି ସୀମା ବାହାରକୁ ଚାଲି ଯାଇଛି। ଆମ ନିୟନ୍ତ୍ରଣରେ ନାହିଁ। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସ୍ଥିତି ସୁଧୁରିପାରେ ବୋଲି ରାଧା ରମଣ ଦାସ କହିଛନ୍ତି। ଅନ୍ୟପଟେ ଇସ୍‌କନକୁ ବାଂଲାଦେଶ ଏଜି ଚମରପନ୍ଥୀ ସଂଗଠନ କହିବା ପରେ ରାଧା ରମଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ଏନେଇ ସେ କହିଛନ୍ତି “ ବାତ୍ୟା ସମୟରେ ଆମେ ବାଂଲାଦେଶ ଜନତାଙ୍କୁ ସହଯୋଗ କରିଛୁ। ଆମେ କାହିଁକି ସହଯୋଗ କରିବୁ ବୋଲି ପ୍ରଶ୍ନ ନ କରି ଆମେ ସେବା କରିଛୁ। ସାରା ବିଶ୍ୱରେ ୮ ବିଲିଅନ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛି ଇସକନ। ଏହା ସତ୍ତ୍ୱେ ବି ଆମକୁ ଚରମ ପନ୍ଥୀ ଆତଙ୍କବାଦୀ ସଂଗଠନ ବୋଲି କୁହାଯାଉଛି। ଏହା ଠାରୁ ଆଶ୍ଚର୍ଯ୍ୟର କଥା କିଛି ନାହିଁ।”

କାହିଁକି ହେଲା ଏମିତି ସ୍ଥିତି?

ଅଗଷ୍ଟ ୫ ତାରିଖରେ ଶେଖ୍ ହସିନାଙ୍କ ସରକାର ପତ୍ତନ ପରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏଭଳି ୨୦୦ ଆଟାକ ହୋଇ ସାରିଲାଣି। ଏହାକୁ ବିରୋଧ କରିବାର ଚିନ୍ମୟ କୃଷ୍ଣଙ୍କୁ ଦେଶ ଦ୍ରୋହ ମାମଲାରେ ଫସାଇ ବାଂଲାଦେଶ ସରକାର ଗିରଫ କରିଛନ୍ତି। ଚିନ୍ମୟ କୃଷ୍ଣ୍ ବାଂଲାଦେଶ ପତାକାକୁ ଅପମାନିତ କରିଥିବା ଅଭିଯୋଗ ଲାଗିଛି। ଏହାପରେ ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନ ତେଜିଛି। ଭାରତ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଛି।

ଅନ୍ୟପଟେ ଚିନ୍ମୟଙ୍କୁ ଜାମିନ ନ ମିଳିବାରୁ ଆନ୍ଦୋଳନ ତୀବ୍ର ହୋଇଥିଲା। ହିଂସାରେ ବାଂଲାଦେଶ ସରକାରୀ ଓକିଲ ସଫିଉଲ ଇସ୍‌ଲାମଙ୍କ ମୃତ୍ୟୁ ହୋଇଛି। ମାମଲାରେ ପୁଲିସ ଚଟ୍ଟୋଗ୍ରାମ ସହରରେ ୩୦ ଜଣଙ୍କୁ ଅଟକ ରଖିଛି।    


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.