ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ BJP ଅଫିସ ଆକ୍ରମଣ ଯୋଜନା କରିଥିଲା ISIS

Published By : Prameya-News7 Bureau | September 09, 2024 IST

ବେଙ୍ଗାଲୁରୁ ୯।୯:  ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ସୋମବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଆଇପିସି, ୟୁଏ(ପି), ବିସ୍ଫୋରକ ପଦାର୍ଥ ଅଧିନିୟମ ଓ  ପିଡିଏଲପି ଅଧନିମୟରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଏହି ଚାର୍ଜସିଟରେ ଆଇଏସଆଇଏସ ଆକ୍ରମଣ ଷଡ଼ଯନ୍ତ୍ର ନେଇ ମଧ୍ୟ ସୂଚନା ଦିଆଯାଇଛି। ଏନଆଇଏ ଅନୁସାରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିଲା। 

ଚାର୍ଜସିଟରେ ଜାନୁୟାରୀ ୨୨ ତାରିଖ ଦିନ ବିଜେପି ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଆକ୍ରମଣର ପ୍ରସ୍ତୁତି କରାଯାଇଥିଲା। ଅଭିଯୁକ୍ତମାନେ ସିରିଜ ବିସ୍ଫୋରଣର ଯୋଜନା କରିଥିଲେ। ଗତ ମାର୍ଚ୍ଚମାସରେ ବେଙ୍ଗାଲୁରୁ ବ୍ରୁକଫିଲ୍ଡ ସ୍ଥିତ ରାମେଶ୍ୱରମ କାଫେରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ ଓ ହୋଟେଲ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା। ଏହି ମାମଲାର ଏନଆଇଏ ଯାଞ୍ଚ ମାର୍ଚ୍ଚ ୩ ତାରିଖରେ ଆରମ୍ଭ ହୋଇଥିଲା। 

ଯାଞ୍ଚରେ ମୁସାଭିର ହୁସେନ ସାଜିବ ହିଁ ସେଦିନ ରାମେଶ୍ୱରମ କାଫେରେ ଆଇଇଡି ରଖିଥିବା ସ୍ପଷ୍ଟ ହୋଇଛି। ରାମେଶ୍ୱରମ କାଫେ ବିସ୍ଫୋରଣର ୪୨ ଦିନ ପରେ ଏନଆଇଏ ତାକୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା। ସେ ଅବଦୁଲ ମଥିନ ଅହମଦ ତାହା ସହ ୨୦୨୦ ମସିହାରୁ ଫେରାର ଥିଲା। ୨ ଜଣ କର୍ଣ୍ଣାଟକ ଶିଭମୋଗ୍ଗା ଜିଲ୍ଲାର ବାସିନ୍ଦା ଓ ସେମାନେ ମୌଳବାଦୀ ଆଇଏସଆଇଏସ ସହିତ ସମ୍ପର୍କିତ ଥିଲେ ବୋଲି ଚାର୍ଜସିଟ୍ ରେ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.