ଆତଙ୍କବାଦୀଙ୍କ ବଡ ଖୁଲାସା ! ରାମ ମନ୍ଦିର ଶିଳାନ୍ୟାସ୍‌ର ଗୋଟିଏ ମାସ ଭିତରେ ବଡ ଆତଙ୍କୀ ଆକ୍ରମଣ ପାଇଁ ଚାଲିଥିଲା ପ୍ରସ୍ତୁତି

Published By : Prameya-News7 Bureau | August 22, 2020 IST

ଲକ୍ଷ୍ନୌ ୨୨।୦୮: ଦିଲ୍ଲୀରେ ଧରା ପଡିଥିବା ଆଇଏସଆଇଏସର ଆତଙ୍କବାଦୀ ପୋଲିସର ଜେରା ବେଳେ ଚାଞ୍ଚଲ୍ୟକର ଖୁଲାସା କରିଛି। ଆତଙ୍କବାଦୀମାନେ ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସର ଏକ ମାସ ଭିତରେ ବଡ ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଧରା ପଡିଥିବା ଆତଙ୍କବାଦୀ କହିଛି ସଂଶୋଧିତ ନାଗରିକତା ଆଇନ ବିରୋଧରେ ୟୁପିରେ ଗତ ବର୍ଷ ଘଟିଥିବା ହିଂସାକାଣ୍ଡରେ ଉପଦ୍ରବୀଙ୍କଠୁ ଆଦାୟ, ସଂପତ୍ତି ଜବତର ନୂତନ ଆଇନ ତିଆରି ହେବା ବିରୋଧରେ ପ୍ରତିଶୋଧ ନେବାକୁ ଚାହିଁଥିଲୁ। ଏହା ବ୍ୟତୀତ ୟୁପି ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ୪୭ ଅପରାଧୀଙ୍କ ମଧ୍ୟ ପ୍ରତିଶୋଧ ନେବାକୁ ଆତଙ୍କବାଦୀ ପ୍ରସ୍ତୁତି ଚଳାଇଥିଲେ।

ଶନିବାର ସକାଳେ ଦିଲ୍ଲୀରେ ଆଇଏସଆଇଏସ ଆତଙ୍କବାଦୀର ଗିରଫଦାରୀ ପରେ ଉତ୍ତର ପ୍ରଦେଶରେ ଆଲର୍ଟ ଘୋଷଣା କରାଯାଇଛି। ଅପରପକ୍ଷେ  ରାଜ୍ୟର ଆତଙ୍କବାଦ ବିରୋଧୀ ଦଳ(ଏସଟିଏସ)ର ଗୋଟିଏ-ଗୋଟିଏ ଟିମ୍‌ ଦିଲ୍ଲୀ ଓ ବଳରାମପୁର ଗସ୍ତ କରିଛନ୍ତି। ୟୁପି ପୋଲିସର ମହାନିର୍ଦ୍ଦେଶକ ହିତେଶ ଚନ୍ଦ୍ର ଅବସ୍ଥି ସମସ୍ତ ପୋଲିସ ଅଧିକାରୀ, ବିଶେଷ କରି କ୍ଷେତ୍ରରେ ମୁତୟନ ଅଫସିରଙ୍କୁ ସତର୍କ ଏବଂ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଧୌଲାକୁଆଁ ଓ କାରୋଲ ବାଗ ମଧ୍ୟରେ ରିଜ୍ ରୋଡ୍‌ରେ ଗତ ରାତିରେ ଗୁଳି ବିନିମୟ ପରେ ଆର୍ମି ପବ୍ଲିକ ସ୍କୁଲ ନିକଟରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଧରିଥିଲେ। ତା ନିକଟରୁ ଦୁଇଟି ପ୍ରେସର କୁକର ଓ ୧୫ କିଲୋର ଆଇଇଡି ବା ବିସ୍ଫୋରକ ଜବତ ହୋଇଥିଲା। ଆଇଇଡି ଜବତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସ୍ପେଶାଲ ସେଲ ଓ ବୋମା ନିରୋଧକ ସ୍କ୍ଵାର୍ଡ ଆଇଇଡିକୁ ନେଇ ବୁଦ୍ଧା ଜୟନ୍ତୀ ପାର୍କ ପହଞ୍ଚି ସେଠାରେ ଏହାକୁ ଡିଫ୍ୟୁଜ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.