ସିୟା ମୁସଲମାନଙ୍କ ପାଇଁ ବିପଦ ISIS, କହିଲା- ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମାରିବୁ

Published By : Prameya-News7 Bureau | October 17, 2021 IST

କାବୁଲ ୧୭/୧୦: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍‌ ସକ୍ରିୟ ହୋଇଉଠିଛି। ଆଇଏସଆଇଏସ୍‌-କେ କେବଳ ସିୟା ସମୁଦାୟକୁ ଟାର୍ଗେଟ କରିବା ସହ ଧମକ ଦେଉଛି। ଖୋଲମଖୋଲା ସିୟା ମୁସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଉଛି ଆତଙ୍କୀ ସଙ୍ଗଠନ। ସିୟା ମୁସଲମାନ ଯେଉଁଠି ଥିଲେ ବି ତାଙ୍କୁ ଖୋଜି ଖୋଜି ହତ୍ୟା କରିବ ବୋଲି ଆଇଏସଆଇଏସ୍‌ କହିଛି।

ଇସ୍ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ସିରିୟା  (ଆଇଏସଆଇଏସ୍‌) ଆହୁରି କହିଛି, ସିୟା ମୁସଲମାନ ବହୁ ଭୟଙ୍କର ଏବଂ ସେମାନଙ୍କୁ ସବୁଠି ଟାର୍ଗେଟ କରାଯିବ। ଏକ ମିଡିଆ ରିପୋର୍ଟରେ ଏନେଇ ସୂଚନା ମିଳିଛି । ଆତଙ୍କବାଦୀ ସଙ୍ଗଠନର ସାପ୍ତାହିକ ଅଲ ନବା ଏହି ଚେତାବନୀ ପ୍ରକାଶ କରିଛି। ସିୟା ମୁସଲମାନଙ୍କୁ ତାଙ୍କ ଘ​‌ଘରେ ପଶି ହତ୍ୟା କରିବ ଆଇଏସଆଇଏସ୍‌। ଏନେଇ ବିଶେଷ କରି ଆଫଗାନିସ୍ତାନରେ ରହୁଥିବା ସିୟା ସମୁଦାୟଙ୍କୁ ବିପଦ ରହିଥିବା ଖମା ପ୍ରେସ୍‌ରେ ଖବର ପ୍ରକାଶ ପାଇଛି।

ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଏବେ ଆଇଏସଆଇଏସ୍‌ ଶାନ୍ତି ପ୍ରତିଷ୍ଠା ପ୍ରତି ବଡ଼ ବିପଦ ହୋଇ ଛିଡ଼ା ହୋଇଛି। ଆଫଗାନିସ୍ତାନର କାନ୍ଧାର ପ୍ରାନ୍ତରେ ଶୁକ୍ରବାର ଏକ ସିୟା ମସଜିଦରେ ହୋଇଥିବା ବିସ୍ଫୋରଣ ପରେ ଆଇଏସଆଇଏସ୍‌ ଏହି ଚେତାବନୀ ଦେଇଛି ।

ଏହି ବିସ୍ଫୋରଣରେ ୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ଆଇଏସଆଇଏସ୍‌-କେ ନିଜକୁ ଦାୟୀ ମଧ୍ୟ କରିଥିଲା। ସେହିଭଳି ଆଫଗାନିସ୍ତାନର କୁନ୍ଦୁଜରେ ଏକ ସିୟା ମସଜିଦରେ ହୋଇଥିବା ଆକ୍ରମଣରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.