'ଦୃଶ୍ୟମ-୨'ରେ ପୁଣି ଇଶିତା, ସିକ୍ଵେଲ୍‌କୁ ନେଇ ଖୁବ୍‌ ଉତ୍ସାହିତ ଅଭିନେତ୍ରୀ

Published By : Prameya-News7 Bureau | September 30, 2022 IST

ମୁମ୍ଵାଇ ୩୦।୦୯: ୨୦୧୫ ମସିହାରେ ମୁକ୍ତିପ୍ରାପ୍ତ ଦିବଂଗତ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ଫିଲ୍ମ ‘ଦୃଶ୍ୟମ୍‌’ର ମର୍ଡର୍‌  ମିଷ୍ଟ୍ରୀ ଦର୍ଶକଙ୍କୁ ଏଭଳି ବାନ୍ଧିଥିଲା, ଆଗକୁ କ’ଣ ହେବ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଥିଲା। ଶେଷ ପର୍ଯ୍ୟନ୍ତ ଫିଲ୍ମଟି ଦର୍ଶକଙ୍କୁ ସସ୍‌ପେନ୍ସରେ ରଖିଥିଲା । ଏବେ ନିର୍ମାତା ଏହାର ସିକ୍ୱେଲ୍‌ ପ୍ରସ୍ତୁତ କରୁଛନ୍ତି । ‘ଦୃଶ୍ୟମ୍‌’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ପାଠକ । ଆସନ୍ତା ନଭେମ୍ବର ୧୮ ତାରିଖରେ ଏଇଟି ମୁକ୍ତିଲାଭ କରିବ। ମୂଳ ଫିଲ୍ମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର  ଖୋରାକ ଦେଇଥିବା ଅଜୟ ଦେବଗନ, ତବୁ, ଶ୍ରେୟା ଶରଣ, ଅକ୍ଷୟ ଖାନ୍ନା,  ଇଶିତା ଦତ୍ତା, ମୃଣାଲ ଯାଦବ ଓ ରଜକ କପୁର ଏଥର ବି ଗୁରୁ ଦାୟିତ୍ୱ  କାନ୍ଧେଇଛନ୍ତି।

‘ଦୃଶ୍ୟମ୍‌’ରେ ନିଜର ଭୂମିକା ଓ ପ୍ରଦର୍ଶନ ପାଇଁ ଖୁବ୍‌  ଭଲପାଇବା ଓ ପ୍ରଶଂସା ସାଉଁଟିଥିଲେ ଇଶିତା । ସିକ୍ୱେଲ୍‌କୁ ନେଇ ସେ  ଏବେ ଖାସ୍‌ ଉତ୍ସାହିତ ଅଛନ୍ତି। ପୂର୍ବ ଥର ଭଳି ଏଥର ବି ଦର୍ଶକ ତାଙ୍କୁ  ଭଲପାଇବା ଅଜାଡ଼ିଦେବେ ବୋଲି ସେ ଆଶା ବାନ୍ଧିଛନ୍ତି । ସେ କହନ୍ତି ‘ ଦୃଶ୍ୟମ୍‌-୨କୁ ନେଇ ମୁଁ ଖୁବ୍‌ ଉତ୍ସାହିତ। ମୋର ଅନେକ ଫ୍ୟାନ୍‌ ଓ  ଦର୍ଶକ ଦୀର୍ଘ ଦିନରୁ ଫିଲ୍ମର ୨ୟ ସଂସ୍କରଣ ବିଷୟରେ ପଚାରୁଛନ୍ତି ।  ଏବେ ସେ ସମୟ ଆସିଛି । ଫିଲ୍ମ ପରଦାରେ ଯାହା ଦେଖାଇବ,  ଦର୍ଶକ ତାକୁ ଭଲପାଇବେ ବୋଲି ମୁଁ ନିଶ୍ଚିତ।

ଇଶିତା କହିଛନ୍ତି, ପୂର୍ବରୁ ଏକାଧିକ  ଫିଲ୍ମରେ ମୁଁ କାମ କରିଛି। କିନ୍ତୁ  ଅଧିକାଂଶ ଦର୍ଶକ ମୋତେ ‘ଦୃଶ୍ୟମ୍‌’ର  ଭୂମିକା ପାଇଁ ମନେ ରଖିଛନ୍ତି। ତେଣୁ ଏହି ଫିଲ୍ମର ଅଂଶ ହୋଇ ମୁଁ  ବାସ୍ତବରେ କୃତଜ୍ଞ। ଫିଲ୍ମର ପ୍ରଯୋଜନା  ଦାୟିତ୍ୱରେ ଅଛନ୍ତି ଭୂଷଣ କୁମାର,  କୁମାର ମଙ୍ଗତ ପାଠକ,  ଅଭିଷେକ ପାଠକ ଓ କ୍ରୀଷନ୍‌  କୁମାର । ପୂର୍ବରୁ ଅଜୟ  ଦେବଗନ ‘ଦୃଶ୍ୟମ୍‌ ୨’ର ଟିଜର୍‌ ଜାରି କରି  ଦର୍ଶକଙ୍କୁ ସିକ୍ୱେଲ୍‌ ବିଷୟରେ ସୂଚନା  ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.