ଟ୍ୟାଲେଣ୍ଟ୍ ଥାଇ ବି ମିଳୁନି ସ୍ଥାନ, ଟେଷ୍ଟ ସିରିଜରେ ସୁଯୋଗ ଅପେକ୍ଷାରେ ଷ୍ଟାର କ୍ରିକେଟର…
5/03/2023 at 10:03 AM

ମୁମ୍ବାଇ ୦୫।୦୩ : ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର-ଗାଭସ୍କର ଟ୍ରଫି ୨୦୨୩ରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଟିମ ଇଣ୍ଡିଆ ୨ଟି ମ୍ୟାଚ୍ ହାତେଇ ସିରିଜରs ୨-୧ରେ ଆଗୁଆ ରହିଛି । କିନ୍ତୁ ଟିମ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା ନିଜର ଜଣେ ଖାସ୍ ଖେଳାଳିଙ୍କୁ ଖେଳିବାର ସୁଯୋଗ ଦେଇନାହାଁନ୍ତି । ଏହି ଖେଳାଳି ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳର ଏକ ଅଂଶ ହୋଇଛନ୍ତି, କିନ୍ତୁ ଡେବ୍ୟୁ କରିବାର ଅପେକ୍ଷା ତାଙ୍କର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ସିରିଜରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ କେ.ଏସ୍ ଭରତ ଏବଂ ଇଶାନ୍ କିଶନଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ଇଶାନ କିଶନ ଏହି ସିରିଜରେ ଥରେ ମଧ୍ୟ ଭାରତୀୟ ଦଳର ପ୍ଲେଇଙ୍ଗ୍ ୧୧ରେ ସାମିଲ ହୋଇପାରିନାହାନ୍ତି । ସେହିପରି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ କେ.ଏସ୍ ଭରତ ଦଳର ପ୍ରଥମ ପସନ୍ଦ ହୋଇ ରହିଛନ୍ତି । କିନ୍ତୁ ସେ ବ୍ୟାଟିଙ୍ଗରେ କମାଲ ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

କେ.ଏସ୍ ଭରତଙ୍କ ବିଷୟରେ କହିବାକୁ ଗଲେ, ସେ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୮ ରନ୍ କରି ପାଭିଲିୟନ ଫେରିଥିଲେ । ସେହିପରି ଦିଲ୍ଲୀ ଟେଷ୍ଟ ମ୍ୟାଚରେ କେ.ଏସ୍ ଭରତଙ୍କ ଠାରୁ ଏକ ବଡ଼ ଇନିଂସ ଆଶା କରିଥିଲା ଟିମ ଇଣ୍ଡିଆ । କିନ୍ତୁ ସେ ମାତ୍ର ୬ ରନ୍ କରି ୱିକେଟ୍ ହରାଇଥିଲେ । ଅନ୍ୟପଟେ ଏହି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ କେ.ଏସ୍ ଭରତଙ୍କ ବ୍ୟାଟ୍ରୁ ୨୩ ରନର ଦେଖିବାକୁ ମିଳିଥିଲା। ତାଙ୍କର ଖରାପ ଫର୍ମ ଇନ୍ଦୋର ଟେଷ୍ଟରେ ମଧ୍ୟ ଜାରି ରହିଥିଲା । କେ.ଏସ୍ ଭରତ ଏହି ମ୍ୟାଚର ପ୍ରଥମ ଇନିଂସରେ ମାତ୍ର ୩୦ ବଲରେ ମାତ୍ର ୧୭ ରନ୍ ସଂଗ୍ରହ କରିପାରିଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ତାଙ୍କ ବ୍ୟାଟରୁ ମାତ୍ର ୩ରନ୍ ବାହାରିଥିଲା। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଦେଖିବାକୁ ମିଳିପାରେ ।

ତେବେ ଶେଷ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ ଏବଂ ଜୟଦେବ ଉନାଦକତ ରହିଛନ୍ତି ।