ଗର୍ଜିଲା ଇଶାନ କିଶନ ଓ ସୂର୍ଯ୍ୟ କୁମାରଙ୍କ ବ୍ୟାଟ୍, ହାଇଦ୍ରାବାଦକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ

Published By : Prameya-News7 Bureau | October 08, 2021 IST

ଆବୁଧାବି ୦୮।୧୦: ନିଜର ଶେଷ ମୁକାବିଲାରେ ଗର୍ଜିଲା ମୁମ୍ବାଇ। ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ବିଶାଳ ସ୍କୋର କରିଛି। ଇଶାନ କିଶନ(୮୪) ଏବଂ ସୂର୍ଯ୍ୟକୁମାର ଯାଦବ(୮୨)ଙ୍କ ଧୂଆଁଧାର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୨୩୫ ରନ କରିଛି। ଦଳ ପ୍ଲେ ଅଫରୁ ବଞ୍ଚିତ ହେଲେ ମଧ୍ୟ ନିଜ ପ୍ରଶଂସକଙ୍କ ପାଇଁ ଏକ ସ୍ମରଣୀୟ ଇନିଂସ ଖେଳିଛି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ। ଇଶାନ କିଶନ ମାତ୍ର ୩୨ ବଲରୁ ୧୧ ଚୌକା ଓ ୪ ଛକା ଜରିଆରେ ୮୪ ଏବଂ ସୂର୍ଯ୍ୟକୁମାର ଯାଦବ ୪୦ ବଲ୍‌ରୁ ୧୩ ଚୌକା ଓ ୩ ଛକା ସହ ୮୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲଡର ୫୨ ରନ ଦେଇ ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। ହାଇଦ୍ରାବାଦ ପାଇଁ ମଧ୍ୟ ଏହା ଶେଷ ମୁକାବିଲା

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା  ମୁମ୍ବାଇର  ଓପନର ବ୍ୟାଟସମ୍ୟାନ ଇଶାନ କିଶନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ଦେଖି ଚାହିଁ ବ୍ୟାଟିଂ କରିଥିବା ବେଳେ ଇଶାନ ଚୌକା ଓ ଛକା ବର୍ଷା କରିଥିଲେ। ମାତ୍ର ୧୬ ବଲ୍‌ରୁ ଇଶାନ କିଶନ ଅର୍ଦ୍ଧଶତକ  ହାସଲ କରିଥିଲେ। ଏହା ଚଳିତ ଆଇପିଏଲର ଦ୍ରୁତତମ ଅର୍ଦ୍ଧଶତକ। ପ୍ରଥମ ଓ୍ଵିକେଟ୍‌ରେ ଇଶାନ ଓ ରୋହିତ ୫.୩ ଓଭରରେ ୮୦ ରନ ଯୋଡିଥିଲେ। ଏହା ପରେ ରୋହିତ(୧୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧୦) ଆଉଟ୍ ହୋଇଥିଲେ। ଅନ୍ୟପଟେ ଇଶାନ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ଇଶାନ କିଶନ ମାତ୍ର ୩୨ ବଲରୁ ୧୧ ଚୌକା ଓ ୪ ଛକା ଜରିଆରେ ୮୪ ରନର ସ୍ମରଣୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଇଶାନ କିଶନ ଇନିଂସକୁ ଯେଉଁଠି ଛାଡିଥିଲେ ସେଠାରୁ ସୂର୍ଯ୍ୟକୁମାର ଯାଦବ ଦଳର ଇନିଂସକୁ ଆଗେଇ ନେଇଥିଲେ। ଟି-୨୦ ବିଶ୍ଵ କପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ସେ ପଡିଆର କୋଣ ଅନୁକୋଣରେ ବାଉଣ୍ଡରୀ ବର୍ଷା କରିଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ରନ ଗତି ଧିମା ହେବାକୁ ଦେଇନଥିଲେ। ସେ ୪୦ ବଲ୍‌ରୁ ୧୩ ଚୌକା ଓ ୩ ଛକା ସହ ୮୨ ରନ କରି ଦଳର ସ୍କୋରକୁ ୨୩୫ ରନରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା(୧୦), କିରଣ ପୋଲାର୍ଡ(୧୩), କୃଣାଲ ପାଣ୍ଡ୍ୟା(୯) କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.