ବାରାଣସୀ: ବାରାଣସୀ ଜିଲ୍ଲା କୋର୍ଟ ଜ୍ଞାନବାପୀ ମସଜିଦର ସର୍ଭେ ଭିଡିଓକୁ ସାର୍ବଜନୀନ କରିବାକୁ ଘୋଷଣା କରିଛନ୍ତି। ମସଜିଦ ଭିତରେ ଶିବଲିଙ୍ଗ ନା ଫୁଆରା ଅଛି ଏହାର ସତ ମେ ୩୦ରେ ଦେଶ ସାମ୍ନାକୁ ଆସିବ। କୋର୍ଟ ଏହି ଦିନ ସର୍ଭେର ଭିଡିଓ ଏବଂ ଫଟୋଗ୍ରାଫ ସାର୍ବଜନୀନ କରିବେ।
ଏହା ପୂର୍ବରୁ ଜ୍ଞାନବାପୀ ମସଜିଦର ରକ୍ଷଣାବେକ୍ଷଣ କରୁଥିବା ଅଞ୍ଜୁମତ ଇନ୍ତଜାମିଆ ମସଜିଦ କମିଟି ଜିଲ୍ଲା ଜଜ ଅଦାଲତରେ ସର୍ଭେର ଭିଡିଓ ଏବଂ ଫଟୋଗ୍ରାଫ ସାର୍ବଜନୀନ କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ବାରାଣସୀ ଜିଲ୍ଲା ଜଜଙ୍କ ନିକଟକ ହିନ୍ଦୁ ପକ୍ଷକାରଙ୍କ ତରଫତୁ ଏକ ଚିଠି ଆସିଛି। ଏଥିରେ ଜ୍ଞାନବାପୀ ପରିସରର ସର୍ବେକ୍ଷେଣ ରିପୋର୍ଟ ଏବଂ ଭିଡିଓ-ଫଟୋକୁ ସାର୍ବଜନୀନ କରିବା ଉପରେ କଟକଣା ଲଗାଇବାକୁ ଦାବି କରାଯାଇଛି।
ବିଶ୍ଵ ବୈଦିକ ସନାତନ ସଂଘ ପ୍ରମୁଖ ଜିତେନ୍ଦ୍ର ସିଂହ ଜିଲ୍ଲା କୋର୍ଟରେ ଗୁହାରି କରିଛନ୍ତି ଯେ, ଜ୍ଞାନବାପୀ କମିଶନ କରିଥିବା ସର୍ଭେର ଭିଡିଓ ଏବଂ ଏହାର ଫଟୋ ପ୍ରକାଶିତ କରାଯିବା ଉଚିତ୍ ନୁହେଁ। ଏହାକୁ ସାର୍ବଜନୀନ କରାନଯାଉ। ଏହା କୋର୍ଟଙ୍କ ସଂପତ୍ତି ଏବଂ କୋର୍ଟ ଭିତରେ ସୀମିତ ରହୁ। ନଚେତ୍ ଦେଶ ବିରୋଧୀ ଶକ୍ତି ଏହାକୁ ନେଇ ମାହୋଲ ବିଗାଡି ପାରନ୍ତି। ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ବିପଦରେ ପଡିପାରେ। ଏପରିକି ଜାତୀୟ ସୁରକ୍ଷା ପ୍ରତି ବିପଦ ଦେଖା ଦେଇପାରେ।
ରିପୋର୍ଟରେ କଣ ରହିଛି ?
ରିପୋର୍ଟରେ ସାତ ନମ୍ବର ପୃଷ୍ଠାରେ ସର୍ଭେ ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲେଖା ହୋଇଛି। ଏଥିରେ ପାଦ ଗୋଡ ଧୋଇବା ପାଇଁ ବ୍ୟବହାର କରାଯାଉଥିବା ଛୋଟ ପୋଖରୀ ଯାହାକୁ ଓ୍ଵଜଖାନା କୁହାଯାଏ, ତା ମଝିରେ ମିଳିଥିବା ଶିବ ଲିଙ୍ଗ ଆକୃତି ବିଷୟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଅନେକ ଖୁଲାସା କରାଯାଇଥିବା ଦାବି କରାଯାଇଛି। ସର୍ବେକ୍ଷେଣ ସମୟରେ ଓକିଲ କୋର୍ଟ କମିଶନର ନଗର ନିଗମର କର୍ମଚାରୀଙ୍କୁ ଓ୍ଵଜଖାନା ଅର୍ଥାତ ଉକ୍ତ ଛୋଟ ପୋଖରୀର ମଧ୍ୟଭାଗକୁ ସିଡି ଜରିଆରେ ପଠାଇଥିଲେ। ସେଥିରୁ ପାଣି କଢାଯାଇ ମାଛକୁ ସୁରକ୍ଷିତ ରଖିବା ପାଇଁ ମତ୍ସ୍ୟପାଳନ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଡକାଯାଇ ପରାମର୍ଶ ଲୋଡା ଯାଇଥିଲା।
ମତ୍ସ୍ୟପାଳନ ଅଧିକାରୀ ୨ ଫୁଟ୍ ପର୍ଯ୍ୟନ୍ତ ପାଣିରେ ମଧ୍ୟ ମାଛ ଜୀବିତ ରହି ପାରିବେ ବୋଲି କହିଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ, ପାଣି କେବଳ ଦୁଇ ଫୁଟ୍ ରଖାଯାଇଥିଲା। ପାଣି କମିବା ପରେ ମଧ୍ୟଭାଗରେ କଳା ରଙ୍ଗର ଗୋଲାକୃତି ପଥର ଆକୃତି ଦେଖିବାକୁ ମିଳିଥିଲା। ଏହାର ଉଚ୍ଚତା ପ୍ରାୟ ୨.୫ ଫୁଟ୍ ହେବ। ଏହାର ଶୀର୍ଷରେ କଟିଂ କରାଯାଇଥିବା ଗୋଲକାରର ଧଳା ପଥର ଦେଖିବାକୁ ମିଳିଛି। ଏହାର ମୋଟେଇ ପ୍ରାୟ ୪ ଫୁଟ୍ ରହିଛି। ଆବେଦନକାରୀ ପକ୍ଷ ଏହାକୁ ଶିବ ଲିଙ୍ଗ କହିବା ଆରମ୍ଭ କରି ଦେଲେ। ବିପକ୍ଷକାରୀ ଏହାକୁ ଫୁଆରା ବୋଲି କହିଛନ୍ତି। ସର୍ଭେ ଟିମ୍ ଏହାର ସଂପୂର୍ଣ୍ଣ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିଛନ୍ତି। ଏହାର ରିପୋର୍ଟ ଜଉମୁଦ ଲଫାପାରେ ରଖାଯାଇଛି।