ଅଷ୍ଟ୍ରେଲିଆରେ ଖେଳାଯିବ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍, ଚାଲିଛି ଆଲୋଚନା: ପୂର୍ବତନ ଅଲରାଉଣ୍ଡର

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ଵ କପ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବାଜି ମାରି ନେଇଥିଲା ଭାରତ। ବହୁ ପ୍ରତୀକ୍ଷିତ ଏହି ମୁକାବିଲା ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ତେବେ ଏହା ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ଶୃଙ୍ଖଳା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ସାଇମନ ଓଡୋନେଲ ସୋମବାର ଦାବି କରିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ଶୃଙ୍ଖଳା ଖେଳିବା ନେଇ ଯୋଜନା ଚାଲିଛି। ଏ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ଓଡୋନେଲ ଏକ ଟିଭି ଶୋରେ କହିଛନ୍ତି। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)  ଖବରକୁ ଖଣ୍ଡନ କରିଛି।

ଓଡୋନେଲ୍ କହିଛନ୍ତି, ଅଷ୍ଟ୍ରେଲିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ଯୋଜନା ଉପରେ କାମ ଚାଲିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚ୍‌ ଅସାଧାରଣ ଥିଲା। ମୁକାବିଲା ଦେଖିବା ପାଇଁ ଷ୍ଟାଡିୟମରେ ୯୦ ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଉପସ୍ଥିତ ଥିଲେ।

ପିସିବି କଲା ଖଣ୍ଡନ

ଦ ନ୍ୟୁଜ୍ ଅନୁଯାୟୀ, ପିସିବି ଅଷ୍ଟ୍ରେଲିଆ ଖେଳାଳିଙ୍କ ଏହି ଦାବିକୁ ଖଣ୍ଡନ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆୟୋଜନ ନେଇ ତାଙ୍କ ନିକଟରେ ଏହିପରି କୌଣସି ସୂଚନା ନଥିବା ପିସିବି କହିଛି। ଦଳର ଭବିଷ୍ୟତ କାର୍ଯ୍ୟକ୍ରମରେ ଏହି ପରି କୌଣସି ଯୋଜନା ପାଇଁ ସ୍ଥାନ ନାହିଁ। ଦଳର ଭବିଷ୍ୟତ କ୍ରୀଡାସୂଚୀ ପୂର୍ବରୁ ନିର୍ଦ୍ଧାରିତ  ହୋଇ ସାରିଛି ବୋଲି ପିସିବି କହିଛି।

ସୂଚନାଯୋଗ୍ୟ, ନିକଟ ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ନିରପେକ୍ଷ ସ୍ଥାନରେ ଦ୍ଵିପାକ୍ଷିକ ଶୃଙ୍ଖଳା ଆୟୋଜନ ନେଇ ଚର୍ଚ୍ଚା ଜାରି ରହିଛି। ଅନେକ ଦେଶ ଏହି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀଙ୍କ ମଧ୍ୟରେ ଶୃଙ୍ଖଳା ଆୟୋଜନ ନେଇ ପ୍ରସ୍ତାବ ମଧ୍ୟ ଦେଉଛନ୍ତି। ନିକଟରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟ ପିସିବି ଏବଂ ବିସିସିଆଇକୁ ତାରି ମାଟିରେ ସିରିଜ୍ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.