ଓରିଓ ବିସ୍କୁଟ ‘ହଲାଲ ନା ହରାମ’? UAEରେ ବଡ ବିତର୍କ, ଜାଣନ୍ତୁ କର୍ତ୍ତୃପକ୍ଷ କହିଛନ୍ତି କ’ଣ?

Published By : Prameya-News7 Bureau | January 06, 2023 IST

ଅବୁଧାବୀ ୬।୧: ଓରିଓ ବିସ୍କୁଟ୍ ହଲାଲ ନା ହାରାମ? ୟୁଏଇରେ ଏହାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ୟୁଏଇର ଅଧିକାରୀମାନେ ଏକ ସ୍ପଷ୍ଟିକରଣ ଜାରି କରିଛନ୍ତି। ୟୁଏଇ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ‘ନିକଟରେ ସୋସିଆଲ ମିଡିଆରେ ଏପରି ସୂଚନା ବ୍ୟାପ୍ତ କରାଯାଉଛି ଯେ ଯେଉଁଥିରେ ଓରିଓ ବିସ୍କୁଟ ହଲାଲ ନୁହେଁ ବୋଲି କୁହାଯାଉଛି’। ତେବେ ଏହା ଭୁଲ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିସ୍କୁଟରେ ପଶୁଙ୍କ ସମ୍ପର୍କିତ ଫ୍ୟାଟ୍‌ ଅଥବା ତୈଳାକ୍ତ ସାମଗ୍ରୀ ନାହିଁ। ବିସ୍କୁଟ ପ୍ୟାକେଟ୍‌ ଉପରେ ଯାହା ଲେଖାଯାଇଛି ବିସ୍କୁଟ ସେହିଥିରେ ହିଁ ପ୍ରସ୍ତୁତ। ଏଥିରେ ବିସ୍କୁଟରେ ଆଲକୋହଲ ଥିବା ନେଇ ହେଉଥିବା ପ୍ରଶ୍ନର ଜବାବରେ ଏହା ଏକ ଶୁଷ୍କ ଖାଦ୍ୟ। ଏହାର ପ୍ରୟୋଗଶାଳା ଟେଷ୍ଟିଂ ରେଜଲ୍ଟରୁ ଯାହା ଜଣାପଡେ ଏଥିରେ ଆଲକୋହଲ ବିଲକୁଲ ନାହିଁ। ମନ୍ତ୍ରାଳୟ କହିଛନ୍ତି ଯେ ଦେଶକୁ ଆସୁଥିବା ଖାଦ୍ୟ ପଦାର୍ଥ ସୁରକ୍ଷା ମାନକ ସହିତ ଆସିଥାଏ। ଏଣୁ ଏପରି କୌଣସି ଖବରକୁ ଭେରିଫାଏ ନ କରି ସେୟାର କରିବାରୁ ନିବୃତ୍ତ ରହନ୍ତୁ ବୋଲି ସରକାର ଜନତାଙ୍କୁ ନିବେଦନ କରିଛନ୍ତି।

ସେହିପରି ଆବୁଧାବୀ କୃଷି ଓ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ସୋସିଆଲ ମିଡିଆରେ ବିସ୍କୁଟକୁ ନେଇ ଭାଇରାଲ ହେଉଥିବା ଖବରକୁ ଦେଖିଥିଲେ ଓ ପୋଷ୍ଟରେ ଯାହା ଲେଖାଯାଇଛି ସେଥିରୁ ବିସ୍କୁଟରେ ସେପରି କିଛି ନଥିବା କହିଛନ୍ତି। ପ୍ରାଧିକରଣ କହିଛନ୍ତି ଯେ ଦେଶକୁ ଆମଦାନୀ କରାଯାଉଥିବା ବିସ୍କୁଟର ସବୁ ବ୍ୟାଚ୍‌କୁ ନିରୀକ୍ଷଣ କରାଯାଉଛି ଓ ତା ସହ ଆସୁଥିବା କାଗଜ ପତ୍ରର ଯାଞ୍ଚ ମଧ୍ୟ ହେଉଛି ବୋଲି କହିଛନ୍ତି।

ଏଥିରେ ପ୍ରଥମେ ଦାବି କରାଯାଇଥିଲା ଯେ ବିସ୍କୁଟରେ ଆଲକୋହଲ ରହୁଛି। ଏପରି ଅନେକ ଉତ୍ପାଦ ରହିଛି ଯେଉଁଥିରେ ଏଥନଲର ସାମାନ୍ୟ ଅଂଶ ରହୁଛି, ଯାହା ନ୍ୟାଚୁରାଲ ଫରମେଣ୍ଟେସନରେ ହେଉଛି। ଖାଦ୍ୟ ଉତ୍ପାଦରେ ଏହା ସାମାନ୍ୟ ପ୍ରକ୍ରିୟା। ପ୍ରାଧିକରଣ କହିଛନ୍ତି ଯେ ଓରିଓ ବିସ୍କୁଟ ୟୁଏଇର ସବୁ ମାନକକୁ ପାଳନ କରୁଛି। ୟୁଏଇ ମାନକ ଅନୁସାରେ ଖାଦ୍ୟ ପଦାର୍ଥରେ ମଦ୍ୟର ବ୍ୟବହାର କରାଯାଏନି।

ସେହିପରି ଓରିଓରେ ଘୁଷୁରି ସମ୍ପର୍କିତ ଦାବି ମଧ୍ୟ ନିରାଧାର। ବିସ୍କୁଟରେ ଲେସିଥିନ ଭଳି ଇମଲସିଫାୟର ରହିଥାଏ। ଯାହାକୁ ପଶୁ ଓ ଗଛପତ୍ରରୁ ବାହାର କରାଯାଇଥାଏ। ତେବେ ବିସ୍କୁଟରେ ଆଦୌ ହଲାଲ ସାମଗ୍ରୀ ନଥିବା ସ୍ପଷ୍ଟ କରିଛନ୍ତି। ଏହାର ପୁଷ୍ଟି ଲାଗି କର୍ତ୍ତୃପକ୍ଷ ବିସ୍କୁଟର ଲ୍ୟାବ୍ ଟେଷ୍ଟ ମଧ୍ୟ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.