ବଢୁଛି ଓମିକ୍ରନ ବିପଦ, ଟଳିବକି ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ, ଜାଣନ୍ତୁ ଅନୁରାଗ ଠାକୁର କହିଲେ କ’ଣ?

Published By : Prameya-News7 Bureau | December 24, 2021 IST

ନୂଆଦିଲ୍ଲୀ ୨୪।୧୨: ଆଗାମୀ ୨୦୨୨ରେ ଉତ୍ତରପ୍ରଦେଶ ସାଙ୍ଗକୁ ଦେଶର ୭ ଟି ରାଜ୍ୟ ଲାଗି ବିଧାନସଭା ନିର୍ବାଚନ ହେବ। ତେବେ ଏଥିରୁ ୫ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ମାର୍ଚ୍ଚରେ ଶେଷ ହେଉଛି। ହେଲେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଏହି ସବୁ  ରାଜ୍ୟଙ୍କ ଲାଗି ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି। ଏବେ ଦେଶରେ ଓମିକ୍ରନ ଭୂତାଣୁର  ପ୍ରସାର ହେବାରେ ଲାଗିଛି। ଏଣୁ ଭୂତାଣୁ ଆଡୁ ଥିବା ବିପଦରେ ଏବେ ୟୁପି ନିର୍ବାଚନ ନ କରାଇବାକୁ  ଏଲହାବାଦ ହାଇକୋର୍ଟ ଆଗ୍ରହ କରିଛନ୍ତି। 

ହେଲେ ଉପୁଜିଥିବା ପରିସ୍ଥିତିରେ ନିର୍ବାଚନ ହେବ କି ନା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହା ଏବେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି।  ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ନିର୍ବାଚନ ରୋକିବାକୁନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ବଢୁଥିବା ସଂକ୍ରମଣ ସତ୍ତ୍ୱେ ନିର୍ବାଚନୀ ରାଜ୍ୟମାନଙ୍କରେ ରାଜନୈତିକ ଦଳଙ୍କ ପ୍ରଚାର ଗତିବିଧି ଏବେବି ପୂର୍ବବତ ଜାରି ରହିଛି।

{"id":564335,"sizeSlug":"large","linkDestination":"none"}

ଗୋଟିଏପଟେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ରାଜ୍ୟଙ୍କ ଲାଗି ନିର୍ବାଚନ ତାରିଖ ଘୋଷଣା କରିନଥିବା ବେଳେ ବଢୁଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଲୋକଙ୍କ ଚିନ୍ତାର କାରଣ ହେଲାଣି। ଦେଶର ଏବେ ୧୬ଟି ରାଜ୍ୟକୁ ପହଞ୍ଚିସାରିଲାଣି ଓମିକ୍ରନ। ଏଥିରୁ ନିର୍ବାଚନ ହେବାକୁ ଯାଉଥିବା ୟୁପିରେ ୨ ଜଣ ନୂଆ ଭାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉତ୍ତରାଣ୍ଡରେ ୧୪ ଜଣ ଚିହ୍ନଟ ହେଲେଣି। ତେବେ ଏହି ୨ ରାଜ୍ୟରେ ମାର୍ଚ୍ଚ ପୂର୍ବରୁ ହୁଏତ ନିର୍ବାଚନ କରାଇ ଦିଆଯାଇପାରେ ବୋଲି ଏବେଠୁ ଆକଳନ କରାଗଲାଣି।

ସମ୍ଭବତଃ ଉତ୍ତରପ୍ରଦେଶରେ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ବିଧାନସଭା ନିର୍ବାଚନ କରାଯାଇପାରେ। ଏଥିରେ ଏଲହାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଢୁଥିବା ସଂକ୍ରମଣ ଲାଗି  ନିର୍ବାଚନ ଟାଳିବା ଓ ରାଲି ଉପରେ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ପରାମର୍ଶ ସହ ଲୋକେ ମଧ୍ୟ ବର୍ତ୍ତମାନ ଲାଗି ନିର୍ବାଚନ ଅଟକାଇବାକୁ ଦାବି କଲେଣି।

ସାରା ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ରେ ପହଞ୍ଚିଗଲାଣି। ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୬ ହଜାର ୬୫୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ କୋଭିଡ ଚିହ୍ନଟଙ୍କ ମଧ୍ୟରୁ ୩୭୪ ଜଣ ପ୍ରାଣ ହରାଇଛନ୍ତି।  ଏଥିରୁ ମହାରାଷ୍ଟ୍ରରେ ସବୁଠୁ ଅଧିକ ମାମଲା ରେକର୍ଡ ହୋଇଛି। ତା ପଛକୁ ଦିଲ୍ଲୀ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ ଗୁଜରାଟ ରହିଛନ୍ତି। ଏଥିରେ ଦେଶର ୧୬ ରାଜ୍ୟକୁ ଓମିକ୍ରନ ଭାରିଏଣ୍ଟ ପହଞ୍ଚିବା ନୂଆ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.