Social media ଉପଯୋଗରେ ଏକବିଂଶ ଶତାବ୍ଦୀର ସେନାଠୁ ବି ଆଗରେ ISIS : ନରୱାଣେ
4/03/2020 at 12:05 PM

ନୂଆଦିଲ୍ଲୀ ୪।୩: ବିନାଶକ ଗତିବିଧି ଲାଗି ସୋସିଆଲ ମିଡିଆ ଉପଯୋଗରେ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ (ଆଇଏସଆଇଏସ୍) ଏକବିଂଶ ଶତାବ୍ଦୀର ଆମେରିକା ଓ ବ୍ରିଟିଶ ଫୋର୍ସଙ୍କୁ ବି ପଛରେ ପକାଇଦେଇଛି। ସ୍ଥଳ ଯୁଦ୍ଧ ସମ୍ପର୍କରେ ବୁଧବାର ଏଠାରେ ଅନୁଷ୍ଠିତ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଆର୍ମି ଚିଫ୍ ଏମ୍.ଏମ୍. ନରୱାଣେ ଏହା କହିଛନ୍ତି।

ବାଲାକୋଟ୍ ଏୟାର ଷ୍ଟ୍ରାଇକ୍କୁ ନେଇ ସେ କହିଛନ୍ତି ଯେ ଆପଣ ଯଦି ଯୁଦ୍ଧରେ ନିପୁଣ ତେବେ ଉପୁଜିଥିବା ଉତ୍ତେଜନା ଯେ ସବୁ ବେଳେ ଯୁଦ୍ଧରେ ରୂପାନ୍ତରିତ ହେବ ତାହା ଜରୁରି ନୁହେଁ । ଭାରତ ନିଜର ପରାକ୍ରମକୁ ମଜଭୁତ କରିବା ସହ ତାର ଉତ୍ତର ଓ ପଶ୍ଚିମ ସୀମାରେ ଏପରି ଶକ୍ତିଶାଳୀ ପ୍ରତିକ୍ରିୟା ବିକଶିତ କରିଛି ଯାହା ସହ ଯୁଦ୍ଧର କୌଣସି ସମ୍ପର୍କ ନାହିଁ। ଭାରତର ଉତ୍ତର ସୀମା ଚୀନ ଓ ପଶ୍ଚିମ ସୀମା ପାକିସ୍ତାନକୁ ଲାଗି ରହିଛି। ଏହାର ଉଦାହରଣ ଭାବେ ଭାରତର ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ନିଆଯାଇପାରେ ବୋଲି ସେ କହିଛନ୍ତି। ଏଥିଲାଗି ପାକ୍ ସହ ଭାରତକୁ ଯୁଦ୍ଧ କରିବାକୁ ପଡିନଥିଲା।

ଏଣୁ ବିନା ଯୁଦ୍ଧରେ କିପରି ଉଦ୍ଦେଶ୍ୟ ହାସଲ ହୋଇପାରୁଛି ଆତଙ୍କବାଦ ସଙ୍ଗଠନ ଆଇଏସ୍ଆଇସ୍ ଏହାର ସବୁଠୁ ବଡ ଉଦାହରଣ ବୋଲି ନରୱାଣେ କହିଛନ୍ତି। ସୋସିଆଲ ମିଡିଆ ଉପଯୋଗରେ ଆଇଏସ୍ ଏଭଳି ବିନାଶ ଲିଳା ଚଳାଇଥିବା ବେଳେ ଏକବିଂଶ ଶତାବ୍ଦୀର ଆମେରିକୀୟ ଓ ବ୍ରିଟେନ ଫୋର୍ସ ବି ପଛରେ ପଡିଯାଇଛନ୍ତି ବୋଲି କହିଛନ୍ତି ନରୱାଣେ ।