ତୁର୍କି ଭଳି ଭୂମିକମ୍ପରେ ବିନାଶ ଲାଗି ମିଳିବ କି ବୀମା ରାଶି? ଜାଣନ୍ତୁ ଭାରତରେ କ’ଣ ରହିଛି ବ୍ୟବସ୍ଥା
9/02/2023 at 7:50 PM

ନୂଆଦିଲ୍ଲୀ ୯।୨: ତୁର୍କିରେ ସୋମବାର ହୋଇଥିବା ଭୀଷଣ ଭୂମିକମ୍ପରେ ସବୁ କିଛି ଧ୍ୱଂସ୍ତ ହୋଇଛି। ମୃତ୍ୟୁ ସଂଖ୍ୟା ୧୬ ହଜାର ପାର ହୋଇଯାଇଥିବା ବେଳେ କେବଳ ତୁର୍କିରେ ମରିଛନ୍ତି ୧୩ ହଜାର ଲୋକ। ଏହି ଭୂମିକମ୍ପ ଯୋଗୁ ୫ ହଜାରରୁ ଅଧିକ ଭବନ ତାସର ଘର ଭଳି ମାଟିରେ ମିଶି ଯାଇଛି। ଆମେରିକୀୟ ସଂସ୍ଥା ୟୁଏସ୍ଜିଏସ୍ ରିପୋର୍ଟରେ ତୁର୍କିରେ ଅଧିକାଂଶ ଲୋକେ ଏପରି ଘରେ ରହୁଥିଲେ ଯାହା ଭୂମିକମ୍ପ ଦୃଷ୍ଟିରୁ ସୁରକ୍ଷିତ ନୁହେଁ। ବୋଧ ହୁଏ ଏହା ହିଁ ଏତେ ସଂଖ୍ୟକ ଘର ଭାଙ୍ଗିବାର କାରଣ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି।
ଭୂମିକମ୍ପ ଦୃଷ୍ଟିରୁ ତୁର୍କି ଅତ୍ୟନ୍ତ ସମ୍ବେଦନଶୀଳ। ଏଣୁ ଏଠାରେ ଘର ଲାଗି ପ୍ରତ୍ୟେକ ବ୍ୟକ୍ତିକୁ ବୀମା ଦିଆଯାଇଥାଏ। ଯଦି ଭୂମିକମ୍ପ ଯୋଗୁ ଘର ଅଥବା ସମ୍ପତ୍ତି କ୍ଷୟକ୍ଷତି ହୁଏ ତେବେ ବୀମା ରାଶି ମିଳିଥାଏ। ଏକ ରିପୋର୍ଟ ଅନୁସାରେ ତୁର୍କିର ବୀମା କମ୍ପାନୀମାନେ ଭୂମିକମ୍ପ କ୍ଷୟକ୍ଷତି ଯୋଗୁ ଲୋକଙ୍କୁ ୨.୫ ବିଲିୟନ ଡଲାରର କ୍ଷତିପୂରଣ ଦେଇ ପାରେ। ଏଥିରେ ଏବେ ଜାଣିବା ଜରୁରୀ ଭାରତରେ ବି ଭୂମି କମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବୀମା ମିଳିଥାଏ କି? ତେବେ ଆସନ୍ତୁ ଜାଣିବା ଭୂମିକମ୍ପ ଦୃଷ୍ଟିରୁ ଭାରତ କେତେ ସମ୍ବେଦନଶୀଳ।

ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିଙ୍କ ଅନୁସାରେ ଭାରତର ୫୯ ପ୍ରତିଶତ ଅଞ୍ଚଳ ଭୂମିକମ୍ପ ଲାଗି ଅତ୍ୟନ୍ତ ସମ୍ବେଦନଶୀଳ। ଅର୍ଥାତ ଭାରତରେ ମଧ୍ୟ କେବେବି ଭୂମିକମ୍ପ ଆସିପାରେ। ଭୂମିକମ୍ପ ମାନଚିତ୍ରରେ ଭାରତକୁ ୪ଟି ଜୋରେ ବିଭାଜିତ କରାଯାଇଛି। ତେବେ ଭାରତରେ ଯଦି ଏପରି ପ୍ରାକୃତିକ ବିପର୍ଯ୍ୟୟ ହୁଏ ତେବେ ଲୋକଙ୍କୁ ବୀମା ରାଶି ମିଳିବ କି? ଭାରତରେ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ହେଲେ ଦେଶରେ ବୀମା କମ୍ପାନୀମାନେ ଏଥିପାଇଁ ବୀମା ଅଫର କରୁଛନ୍ତି। ଯଦି ଏପରି କୌଣସି ଅକସ୍ମାତ ଘଟଣା ଘଟେ ତେବେ ହୋଇଥିବା ହାନୀ ଲାଗି ବୀମା କମ୍ପାନୀମାନେ କ୍ଷତି ଭରଣା କରୁଛନ୍ତି।
ଏହି ବୀମା କମ୍ପାନୀମାନେ କେବଳ ଘର ନୁହେଁ ଘରେ ଥିବା ଆସବାବପତ୍ର ଓ ସାମଗ୍ରୀର ମଧ୍ୟ ବୀମା ବାବଦ ପୈଠ କରିଥାନ୍ତି। କେତେକ ବୀମା କମ୍ପାନୀ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋମ ଷ୍ଟ୍ରକ୍ଚର ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀର କଭର କରୁଛନ୍ତି। ଯଦି ଭୂମିକମ୍ପ ଯୋଗୁ ଘରର ଅଳ୍ପ ବହୁତେ କ୍ଷତି ହୋଇଥାଏ ବା ସମ୍ପୂର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୁଏ ଏଥି ଲାଗି କ୍ଷତିପୂରଣ ତ ମିଳେ ଘରର ସାଜ ସରଞ୍ଜାମ ବାବଦ ପୈଠ ମଧ୍ୟ କରିଦିଅନ୍ତି। ଏଇଭଳି ଦୋକାନ, ଷ୍ଟୋର ଓ ମଲ ଆଦିର ମଧ୍ୟ ଇନସ୍ୟୁରାନ୍ସ ପଲିସିରେ ବୀମା କଭର ହୋଇଥାଏ। ଯଦି ଭୂମିକମ୍ପ ଯୋଗୁ କାର ଡ୍ୟାମେଜ ହୋଇଯାଏ ତାର ମଧ୍ୟ ବୀମା କଭର ମିଳିଥାଏ। ତେବେ ଏଥି ଲାଗି ବାହନ ବୀମାରେ ଅନ ଡ୍ୟାମେଜ୍ ପଲିସି ନେବାକୁ ପଡିଥାଏ।

ଘର କରିବା ପ୍ରତି ବ୍ୟକ୍ତିର ସ୍ୱପ୍ନ ହୋଇଥାଏ। ଇଣ୍ଡିଆ ହାଉସିଂ ରିପୋର୍ଟ ଅନୁସାରେ ଭାରତର ଗ୍ରାମାଞ୍ଚଳରେ ୯୫ ପ୍ରତିଶତ ଓ ସହରାଞ୍ଚଳରେ ୬୯ ପ୍ରତିଶତ ଲୋକେ ନିଜ ଘରେ ରହିଥାନ୍ତି। ସହରମାନଙ୍କରେ ୩୭ ପ୍ରତିଶତ ଜନସଂଖ୍ୟା ରହୁଥିବା ଘରର ମୂଲ୍ୟ ୧୦ରୁ ୪୦ ଲକ୍ଷ ମଧ୍ୟରେ ହୋଇଥାଏ। ତଥ୍ୟ ଅନୁସାରେ ଭାରତରେ ଗତ ୨୦୦ ବର୍ଷରେ ୨୯ଟି ବଡ଼ ଧରଣର ଭୂମିକମ୍ପ ହୋଇଛି। ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ଭାରତରେ ଯେବେବି ଭୂମିକମ୍ପ ହୋଇଛି ଏହାର ତୀବ୍ରତା ସର୍ବାଧିକ ରହିଛି।
ସୋମବାର ତୁର୍କିରେ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତରେ ଏହି ଧରଣର ଏପର୍ଯ୍ୟନ୍ତ ୧୧ଟି ଭୂମିକମ୍ପ ହୋଇଛି। ଏଥିରୁ ୬ ଥର ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୮ ରୁ ବି ଅଧିକ ଥିଲା। ଏହା ଛଡା ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପଦ ଯାହା ଆଗୁଆ ସୂଚନା ଦେଇ ଆସି ନଥାଏ। ଏଣୁ ଭାରତରେ ରହୁଥିଲେ ଏବଂ ନିଜର ଘର ଥିଲେ ଗୃହ ବୀମା କରିବା ଜରୁରି ଯେପରି ଭୂମିକମ୍ପ ପରେ ପୁଣି ଥରେ ଘର ନିର୍ମାଣ କରିପାରିବେ।