ନୂଆଦିଲ୍ଲୀ ୧୧।୦୭: ହାଇଦ୍ରାବାଦରେ ମୁତୟନ ଭାରତୀୟ ରାଜସ୍ୱ ସେବା(ଆଇଆରଏସ୍)ର ଜଣେ ମହିଳା ଅଧିକାରୀ ପୁରୁଷ ହୋଇଛନ୍ତି । ୩୫ ବର୍ଷୀୟ ଅଧିକାରୀ ଜଣକ ଲିଙ୍ଗ ପରିବର୍ତ୍ତନ ପରେ ନାମ ମଧ୍ୟ ବଦଳାଇଛନ୍ତି । ନିଜର ନାମକୁ ଏମ୍ ଅନୁସୂୟାରୁ ଅନୁକାଥିର ସୂର୍ଯ୍ୟା ଏମ୍ ରଖିଛନ୍ତି ସେ । ସରକାରୀ ରେକର୍ଡରେ ନିଜର ନାମ-ଲିଙ୍ଗ ବଦଳାଇବା ଲାଗି ଅର୍ଥ ମନ୍ତ୍ରଣାଳୟକୁ ସେ ଚିଠି ଲେଖିଥିବାବେଳେ ମନ୍ତ୍ରଣାଳୟ ଜୁଲାଇ ୯ରେ ସେଥିପାଇଁ ଅନୁମତି ଦେଇଛନ୍ତି। ସିଭିଲ ସର୍ଭିସ୍ ଇତିହାସରେ ଏହା ପ୍ରଥମ ଘଟଣା । ମଦୁରାଇ ବାସିନ୍ଦା ଅନୁକାଥିର ସୂର୍ଯ୍ୟା ଏମ୍(ନୂଆ ନାମ) ୨୦୧୩ ବ୍ୟାଚ୍ର ଆଇଆରଏସ୍ ଅଧିକାରୀ ।୧୧ ବର୍ଷ ଚାକିରି କରିବା ପରେ ସେ ନିଜ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ତାଙ୍କ ଲିଙ୍କ୍ଡଇନ୍ ପ୍ରୋଫାଇଲ ଅନୁସାରେ, ଡିସେମ୍ବର ୨୦୧୩ରୁ ମାର୍ଚ୍ଚ ୨୦୧୮ ଯାଏ ସେ ତାମିଲନାଡୁର ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ପଦରେ ମୁତୟନ ଥିଲେ ।
ଏହାପରେ ୨୦୧୮ ଏପ୍ରିଲରୁ ୨୦୨୩ ଡିସେମ୍ବର ଯାଏ ତାଙ୍କୁ ତାମିଲନାଡୁରେ ଡେପୁଟି କମିଶନର ପଦରେ ମୁତୟନ କରାଯାଇଥିଲା । ଏବେ ସେ ହାଇଦ୍ରାବାଦରେ ଜଏଣ୍ଟ କମିଶନର ଭାବେ କର୍ତ୍ତବ୍ୟରତ । ଅନୁକାଥିର ସୂର୍ଯ୍ୟା ଏମ୍ ଚେନ୍ନାଇର ମାଡ୍ରାସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ।