ସମ୍ବଲପୁର ନିର୍ମାଣାଧୀନ ଫ୍ଲାଏଓଭରରୁ ଖସିଲା ଲୁହାଛଡ଼: ଜଣେ ଗୁରୁତର
22/01/2019 at 12:01 PM

ସମ୍ବଲପୁର ୨୨/୧: ସମ୍ବଲପୁରରେ ନିର୍ମାଣାଧୀନ ଫ୍ଲାଏଓଭରରୁ ପୁଣି ଖସିଲା ଲୁହାଛଡ଼। ମହିଳା ଥାନା ସାମ୍ନାରେ ନିର୍ମାଣାଧୀନ ଫ୍ଲାଏଓଭରରୁ ଲୁହାଛଡ଼ ଖସି ପଡ଼ିବାରୁ ରାସ୍ତାରେ ଯାଉଥିବା ଜଣେ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତାଙ୍କ ନାଁ ଅତୁଲ୍ୟ କ୍ରିଷ୍ଣା ଦାସ ବୋଲି ଜଣା ପଡ଼ିଛି।
ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଦିନବେଳା କିଭଳି କାମ ଚାଲିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨ଦିନ ତଳେ ବିଜେଡ଼ି ଅଫିସ୍ ସମ୍ମୁଖ ଫ୍ଲାଏଓଭରରୁ ମଧ୍ୟ ଲୁହାରଡ଼ ଖସିଥିଲା। ତେବେ ତଳେ ସେତେବେଳେ କେହି ନଥିବାରୁ କୈାଣସି ଅଘଟଣ ଘଟିନଥିଲା। ଘଟଣା ସମ୍ପର୍କରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ଯାତାୟାତ କରୁଥିବା ସମୟରେ ଫ୍ଲାଏଓଭର ନିର୍ମାଣ କାମ ବନ୍ଦ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପଣ୍ଡା ଇନଫ୍ରା ଏବଂ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଡାକି ସୁରକ୍ଷା ସମ୍ପର୍କରେ ଆଜି ବୈଠକ କରିବେ ବୋଲି କହିଛନ୍ତି।
ଏହି ଫ୍ଲାଏଓଭରର ନିର୍ମାଣ ପଣ୍ଡା ଇନଫ୍ରା କରୁଛି। ଭୁବନେଶ୍ବରର ରସୁଲଗଡ଼ ଠାରେ ମଧ୍ୟ ପଣ୍ଡା ଇନଫ୍ରା ନିର୍ମାଣ କରୁଥିବା ଫ୍ଲାଏଓଭର ଭୁଷୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ସମ୍ବଲପୁରରେ ଏହି ଘଟଣା ଘଟିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରସୁଲଗଡ଼ ଫ୍ଲାଏଓଭର ଭୁଷୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରାର ମାଲିକ ଏବଂ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଥିଲା।
