କ୍ରିକେଟ ଇତିହାସରେ ପ୍ରଥମ : ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ଆୟରଲାଣ୍ଡ, ୧-୦ରେ ସିରିଜ ଆଗୁଆ

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୦୭ : କ୍ରିକେଟ ହେଉଛି ଏକ ଅନିଶ୍ଚିତତାର ଖେଳ । ଯାହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛି ଆୟରଲାଣ୍ଡ କ୍ରିକେଟ ଟିମ୍ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟୀ ହୋଇଛି ଟିମ୍ ଆୟରଲାଣ୍ଡ । ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଆୟରଲାଣ୍ଡ ଗସ୍ତରେ ଅଛି । ସେଠାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । ବର୍ଷା କାରଣରୁ ପ୍ରଥମ ଦିନିକିଆ ମ୍ୟାଚ ବାତିଲ ହୋଇଯାଇଥିଲା । ତେବେ ଦ୍ବିତୀୟ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି ଆୟରଲାଣ୍ଡ । ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାରୁ ୪୩ ରନରେ ପରାସ୍ତ କରି କ୍ରିକେଟ ଜଗତକୁ ସ୍ତବ୍ଧ କରିଛି ଆୟରଲାଣ୍ଡ ଦଳ । ଏହା ସହିତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଆୟରଲାଣ୍ଡ ।

ଆୟରଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଡବଲିନ୍‌ର ଦି ଓ୍ବିଲେଜରେ ଖେଳାଯାଇଥିଲା । ଏହି ମ୍ୟାଚରେ ଆୟାରଲାଣ୍ଡ ଅଧିନାୟକ ଆଣ୍ଡି ବଲବିର୍ଣ୍ଣୀ ଶତକୀୟ ଇନିଂସ ଖେଳିଛନ୍ତି । ଦମଦାର ଇନିଂସ ପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ  ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂକରି ଅଧିନାୟକ ବଲବିର୍ଣ୍ଣୀଙ୍କ ଶତକ ଏବଂ ହ୍ୟାରି ଟେକ୍କରଙ୍କ ୬୮ ବଲରୁ ୭୯ ରନ ଏବଂ ଜର୍ଜ ଡୋକରେଲଙ୍କ ବିସ୍ଫୋରକ ୨୩ ବଲରୁ ୪୫ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୯୦ ରନ ସଂଗ୍ରହ କରିଥିଲା ଆୟରଲାଣ୍ଡ । ଦ. ଆଫ୍ରିକା ପକ୍ଷରୁ ଏଣ୍ଡେଲେ ଫେହଲୁକଓ୍ବାୟୋ ୨ଟି ଓ୍ବିକେଟ ନେଇଥିଲେ ।

ଜବାବରେ ଦକ୍ଷିଣ ଆଫ୍ରିକା ଟିମ ୪୮.୩ ଓଭରରେ ୨୪୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମଲାନ୍ ୮୪ ଏବଂ ବନ୍‌ ଡର୍‌ ଡସନ୍‌ ୪୯ ରନ କରିଥିଲେ । ଏହି ୨ ଜଣଙ୍କ ବ୍ୟତିତ ଅନ୍ୟ କେହି କ୍ରିଜ୍‌ରେ ତିଷ୍ଠି ପାରିନଥିଲେ । ଆୟରଲାଣ୍ଡ ପକ୍ଷରୁ ମାର୍କ ଏଡେର, ଜୋଶୁଆ ଲିଟଲ ଏବଂ ଆଣ୍ଡି ମ୍ୟାକବ୍ରିନ୍‌ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ପରାଜୟ ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବବୁମା କହିଛନ୍ତି, ଆୟରଲାଣ୍ଡ ଟିମକୁ ହାଲ୍‌କା ଭାବେ ନେବାର ଏହା ହେଉଛି ପରିଣତି । ଆୟରଲାଣ୍ଡ ପ୍ରଥମରୁ ହିଁ ଦ.ଆଫ୍ରିକା ଉପରେ ଭାରି ପଡିଥିଲା । ସିରିଜ୍‌ର ଶେଷ ମ୍ୟାଚ ଜୁଲାଇ ୧୬ ତାରିଖରେ ଖେଳାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.