ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡ ଡାକ୍ତର ଆଗ୍ରହୀ

Published By : Prameya-News7 Bureau | February 16, 2022 IST

ଭୁବନେଶ୍ୱର, ୧୬/୨: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଣ୍ଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର । ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍‌କ ସ୍ଥିତ ଲୁଗ୍ ମେଡିକାଲ୍ ସେଣ୍ଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି ।

“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଛୁ । ସୋଆରେ ରିଜେନେରେଟିଭ୍ ମେଡିସିନ୍‌ର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର । ସେ ପଲମୋନାରୀ ମେଡିସିନ୍‌ର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି । ରିଜେନେରେଟିଭ୍ ମେଡିସିନ୍ ହେଉଛ ମେଡିସିନ୍‌ର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍‌, ଟିସ୍ୟୁ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ । ଏଥି ସହିତ ଥେରାପ୍ୟୁଟିକ୍ ଷ୍ଟେମ୍ ସେଲ୍‌ ବ୍ୟବହାର, ଟିସ୍ୟୁ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ ।

ପ୍ରଫେସର ମହାପାତ୍ର ଆୟର୍ଲ୍ୟାଣ୍ଡରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି । ସେ କହିଛନ୍ତି ଯେ ଷ୍ଟେମ୍ ସେଲ୍ ଗୁଡ଼ିକ କେବଳ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ ।ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି । ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି ।

ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନ୍ସଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନ୍ସଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.