ଭାରତର ବଡ ନିଷ୍ପତ୍ତି, ବୀମା ପଲିସିରେ କଭର ହେବ Corona ଭାଇରସ ଚିକିତ୍ସା
5/03/2020 at 2:18 PM

ନୂଆଦିଲ୍ଲୀ ୫।୧: ପ୍ରାଣ ଘାତକ କରୋନା ଭାଇରସ ଏବେ ଭାରତକୁ ପ୍ରବେଶ କରିଛି। ଦେଖୁ ଦେଖୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଏଥିରେ ଇନସ୍ୟୁରାନ୍ସ ରେଗୁଲେଟରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ) ଦେଶର ବୀମା କମ୍ପାନୀମାନଙ୍କୁ ଏପରି ପଲିସି ଡିଜାଇନ କରିବାକୁ କହିଛନ୍ତି ଯେଉଁଥିରେ କରୋନା ଭାଇରସର ଚିକିତ୍ସା ବି କଭର ହୋଇପାରୁଥିବ। ଯଦି ବୀମା କମ୍ପାନୀମାନେ ଏପରି ପଲିସି ଆଣନ୍ତି ତେବେ କରୋନାକୁ ବୀମା ଭୁକ୍ତ କରିବାରେ ହୁଏତ ଭାରତ ଏପର୍ଯ୍ୟନ୍ତ ବିଶ୍ୱର ପ୍ରଥମ ଦେଶ ହୋଇପାରେ ବୋଲି କୁହାଯାଇଛି।

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ହଜାର ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଆବଶ୍ୟକତା ଆଧାରିତ ସ୍ୱାସ୍ଥ୍ୟବୀମା କରୁଥିବା କମ୍ପାନୀମାନେ ସମ୍ପର୍କିତ ବେମାରୀ ଲାଗି ଉତ୍ପାଦ ଉପଲବ୍ଧ କରୁଛନ୍ତି। ଯେଉଁଥିରେ ମଶା କାମୁଡିବା ଜନିତ ରୋଗ ଆଦି ଲାଗି ଉତ୍ପାଦ ରହୁଥିବା ବେଳେ କରୋନା ସଂକ୍ରମଣ ଜନିତ ଚିକିତ୍ସାର ଭରଣା ଲାଗି କାହିଁକି ବୀମା ହୋଇପାରିବ ନାହିଁ ବୋଲି ଆଇଆରଡିଏ କହିଛନ୍ତି। ସେହିପରି କରୋନା ସମ୍ପର୍କିତ ଦାବି ଗୁଡିକର ତୁରନ୍ତ ସମାଧାନ ଲାଗି ମଧ୍ୟ ନିୟାମକ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭାଇରସ ଏବେ ୭୭ଟି ଦେଶରେ ବିତ୍ପାତ ରଚିଛି। ଭାରତରେ ମଧ୍ୟ କିଛି ସନ୍ଦିଗ୍ଧ ରୋଗୀ ମିଳିଛନ୍ତି। ତେବେ ଭାରତ ଆସୁଥିବା କରୋନା ସଂକ୍ରମିତଙ୍କ ଉପରେ ସରକାର କଡା ନଜର ରଖିଛନ୍ତି। ଏଥିଲାଗି ସମସ୍ତ ବିମାନବନ୍ଦରକୁ ସତର୍କ କରାଇଥିବା ବେଳେ ଚୀନ, ଇଟାଲୀ, ଦକ୍ଷିଣ କୋରିଆ ଓ ଜାପାନ ଯାତ୍ରୀଙ୍କ ଲାଗି ନିଷିଦ୍ଧାଦେଶ ଜାରି କରିଛନ୍ତି। ଏହି ସବୁ ଦେଶର ଯାତ୍ରୀ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦେଶର ବିମାନବନ୍ଦରରେ ଦେଖିବାକୁ ବି ଏବେ ମିଳିବେନାହିଁ।