ୟୁକ୍ରେନର କିଭ୍ ଅଞ୍ଚଳରେ ବୋମା ବୃଷ୍ଟି କରୁଛନ୍ତି ଇରାନୀ କାମିକାଜେ ଡ୍ରୋନ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷତିଗ୍ରସ୍ତ

Published By : Prameya-News7 Bureau | October 13, 2022 IST

କିଭ୍ ୧୩।୧୦: ପଶ୍ଚିମ କିଭ ମାକରାଇଭରେ ଆତଙ୍କ ରଚିଛନ୍ତି ଇରାନ ନିର୍ମିତ କାମିକାଜେ ଡ୍ରୋନ। ଋଷୀୟ ଫୋର୍ସଙ୍କ ସଞ୍ଚାଳିତ ୩ଟି ଆତ୍ମଘାତୀ ଡ୍ରୋନ ରାତି ତମାମ ମାକ୍ରାଇଭ କମ୍ୟୁନିଟି ଉପରେ ଆକ୍ରମଣ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା କିଭ ଆଞ୍ଚଳିକ ପୋଲିସ ମୁଖ୍ୟ ଏଣ୍ଡ୍ରି ନେବିଟୋଭ ଟେଲିଗ୍ରାମ ମ୍ୟାସେଜିଙ୍ଗ ଆପ୍‌ରେ ସୂଚିତ କରିଛନ୍ତି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଡ୍ରୋନ ଆକ୍ରମଣ ଯୋଗୁ କେହି ମୃତାହତ ହୋଇଥିବାର ଅଭିଯୋଗ ମିଳି ନାହିଁ।

ସେପଟେ କିଭ ଗଭର୍ଣ୍ଣର ଓଲେକ୍ସି କୁଲେବା ଅନ୍ୟ ଏକ ବୟାନରେ ଋଷୀୟ କ୍ଷେପଣାସ୍ତ୍ର କିଭ ନିକଟବର୍ତ୍ତି ଆଖପାଖ ୪୦ଟି ସହର ଓ ଜନପଦକୁ ଟାର୍ଗେଟ କରିଥିବା କହିଛନ୍ତି। କୁଲେବା ଟେଲିଗ୍ରାମ ମେସେଜିଂ ଆପରେ କହିଛନ୍ତି ଯେ ପ୍ରାରମ୍ଭିକ ସୂଚନାରୁ ଏହି ଆକ୍ରମଣ ଲାଗି ଋଷୀୟ ସେନା ଇରାନ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଜଣାପଡିଛି। ଏଥିରେ ପ୍ରାୟତଃ କାମିକାଜେ ଡ୍ରୋନର ଉପଯୋଗ ହୋଇଥିବା ସେ କହିଛନ୍ତି।

{"id":695361,"sizeSlug":"full","linkDestination":"none"}

ତେବେ ପୂର୍ବରୁ ଭୋଲଦେମୀର ଜେଲଂସ୍କିଙ୍କ ରାଷ୍ଟ୍ରପତି କାର୍ଯ୍ୟାଳୟ ଉପମୁଖ୍ୟ କେରିଲୋ ଟାୟମୋଶିଙ୍କୋ ବିସ୍ତୃତ ବିବରଣୀ ନ ଦେଇ କାମିକାଜେ ଡ୍ରୋନ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଥିବା କହିଥିଲେ। ୪ ୟୁକ୍ରେନୀୟ ଅଞ୍ଚଳକୁ ଋଷୀୟ ସୀମାରେ ମିସାଇବା ଲାଗି ମସ୍କୋର ଉଦ୍ୟମକୁ ମିଳିତ ଜାତିସଂଘ ମହାସଭାରେ ନିନ୍ଦା କରାଯିବା ପରେ ଋଷିଆ ପକ୍ଷରୁ ଏପରି ଆକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି।

ନ୍ୟୁୟର୍କସ୍ଥିତ ୧୯୩ ସଦସୀୟ ମହାସଭାରେ ତିନି ଚତୁର୍ଥାଂଶ ଅର୍ଥାତ ୧୪୩ ଦେଶ ମସ୍କୋର କାର୍ଯ୍ୟାନୁଷ୍ଠାନକୁ ଅସାମ୍ବିଧାନିକ କହି ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ। ଏଣୁ ଋଷିଆ ବାକି ବିଶ୍ୱରୁ ପୃଥକ ହୋଇପଡିଛି। ସିରିଆ, ନିକାରଗୁଆ, ବେଲାଋଷ ଓ ଉତ୍ତରକୋରିଆ  ମତଦାନରେ ଋଷିଆକୁ ସମର୍ଥନ କରିଥିଲେ। ତେବେ ଚୀନ୍‌ ସମେତ ୩୫ ଦେଶ ଏହି ମତଦାନରୁ ଓହରିଯାଇଥିଲେ। 

{"id":695362,"width":838,"height":558,"sizeSlug":"full","linkDestination":"none"}

ଇତିମଧ୍ୟରେ କ୍ରିମିୟାର ଏକ ପୋଲ ଉପରେ ହୋଇଥିବା ବିସ୍ଫୋରଣର ଜବାବରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଜବାବି ଆକ୍ରମଣ ଲାଗି ନିର୍ଦ୍ଦେଶ ପରେ ୫୦ରୁ ଅଧିକ ପାଶ୍ଚାତ୍ୟ ଦେଶ ବ୍ରସେଲରେ ଏକତ୍ରୀତ ହୋଇ ୟୁକ୍ରେନକୁ  ଅଧିକ ସାମରିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଜାରି ସପ୍ତାହରେ ଇରାନ ନିର୍ମିତ ବୋମା, ଡ୍ରୋନ ଓ ରକେଟରେ ଋଷିଆ ଏବେ  ୟୁକ୍ରେନକୁ ଆକ୍ରମଣ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.