ଇରାନ ସର୍ବୋଚ୍ଚନ୍ୟାୟାଳୟରେ ସାମ୍ବାଦିକଙ୍କ ମୃତ୍ୟୁଦଣ୍ଡାଦେଶ କାଏମ, ପଳାଇଥିଲେ ଫ୍ରାନ୍ସ

Published By : Prameya-News7 Bureau | December 09, 2020 IST

ତେହେରାନ : ଦେଶବିରୋଧୀ ବିକ୍ଷୋଭ ବେଳେ ଲୋକଙ୍କୁ ଉସକାଇବା ଅଭିଯୋଗରେ  କୋର୍ଟ ସାମ୍ବାଦିକଙ୍କୁ ଶୁଣାଇଥିବା ମୃତ୍ୟୁଦଣ୍ଡାଦେଶକୁ  ଇରାନ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ନ୍ୟାୟପାଳିକା ମୁଖପାତ୍ର ଘୋଲମହୋସିନ୍‌ ଏ ନେଇ ଗଣମାଧ୍ୟମକୁ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ସର୍ବୋଚ୍ଚନ୍ୟାୟଳୟ ସାମ୍ବାଦିକ ରୁହୁଲ୍ଲା ଜମଙ୍କ ଦଣ୍ଡାଦେଶ କାଏମ ରଖିଛନ୍ତି।

ତେବେ ଇରାନୀ ଆଇନ ଅନୁସାରେ ଦଣ୍ଡାଦେଶ ବିରୋଧରେ ଜମଙ୍କ ଆବେଦନ କରିବାର ଅଧିକାର ରହିଛି। ସେହିପରି ଦଣ୍ଡ ରୋକିବା ଅଥବା କୋହଳ କରିବା ଲାଗି ନ୍ୟାୟପାଳିକା ମୁଖ୍ୟଙ୍କ କ୍ଷମତା ଅଛି। ଗତ ଜୁନମାସରେ ଏକ ଇରାନୀ ନ୍ୟାୟାଳୟ ଜମଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିଲେ। ଯାହାକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ମିଳିଛି। ତାଙ୍କୁ ଗୁଇନ୍ଦାଗିରି ଓ ଇରାନ ସରକାରଙ୍କୁ କ୍ଷମତାରୁ ହଟାଇବା ଲାଗି ଷଡ଼ଯନ୍ତ୍ର ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ କରିଥିଲେ।

ଜମ ତାଙ୍କ ୱେବସାଇଟ୍‌ ଓ ମେସେଜିଂ ଆପ୍ ଟେଲିଗ୍ରାମ ଜରିଆରେ ୨୦୧୭ ବିକ୍ଷୋଭ ସମ୍ପର୍କରେ ସୂଚନା ଦେଉଥିଲେ। ଏହି ସମୟରେ ତାଙ୍କ ୱେବସାଇଟ୍‌ ଓ ଚାନେଲ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ଲଜ୍ଜିତ କରିବା ଭଳି ସେ ଅନେକ କଣ୍ଟେଣ୍ଟ ପ୍ରସାରଣ କରିଥିଲେ। ଦେଶରେ ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଲୋକେ ପ୍ରଥମେ ସଡକକୁ ଓହ୍ଲାଇଥିଲେ, ଯାହା କ୍ରମେ ବ୍ୟାପର ରୂପ ନେବା ସାଙ୍ଗକୁ ଅନ୍ୟ ପ୍ରସଙ୍ଗ ମଧ୍ୟ  ଯୋଡି ହୋଇଯାଇଥିଲା।

ଆନ୍ଦୋଳନ ଉସକାଇବା ଅଭିଯୋଗରେ ସରକାର ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବାରୁ ସେ ଇରାନରୁ ଲୁଚି ଫ୍ରାନସ ପଳାୟନ କରିବା ସହ ପ୍ୟାରିସ୍‌ରେ ଆତ୍ମଗୋପନ କରିଥିଲେ। ପରେ ସେ ଦେଶକୁ ଫେରିଆସିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ପୋଲିସ ତାଙ୍କୁ କେବେ କେଉଁଠୁ ଗିରଫ କରିଥିଲା ତାର ସୂଚନା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.