ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରେ ହୋଇଥିବା ଡ୍ରୋନ ଆକ୍ରମଣରେ ଲେବାନନ ସହ ଇରାନ ମଧ୍ୟ ହାତ ରହିଛି । ଇସ୍ରାଏଲର ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣ ଲେବାନନ ପଟୁ କରାଯାଇଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ଇରାନ । ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣ ଜରିଆରେ ହେଜବୁଲ୍ଲା ସହ ମିଶି ତେହେରାନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଛି ।
ଡ୍ରୋନ ଆକ୍ରମଣ ପରେ ନେତାନ୍ୟାହୁ ସୁରକ୍ଷିତ ଥିବା କହିଛନ୍ତି । ସେ କହିଛନ୍ତି ଯେ ଆମ ସେନା ଦୁଇ ଦିନ ପୂର୍ବେ ହମାସ ମୁଖ୍ୟ ୟାହ୍ୱା ସିନୱାରକୁ ନିହତ କରିଥିଲୁ । ଆତଙ୍କବାଦ ବିରୋଧରେ ଆମେ ଆମ ଲଢେଇ ଜାରି ରଖିବୁ । ଆକ୍ରମଣ ହେଉ ଅବା ଅନ୍ୟ କିଛି ମୋତେ ମୋ ଦେଶର ରକ୍ଷା କରିବାରେ କିଛି ବି ଅଟକାଇ ପାରିବ ନାହିଁ । ଆକ୍ରମଣ ପରେ ଇସ୍ରାଏଲ ପିଏମଓ ଏକ ବୟାନରେ କହିଥିଲା ଯେ ଆକ୍ରମଣ ସମୟରେ ଇସ୍ରାଏଲୀ ପିଏମ୍ ଏବଂ ତାଙ୍କ ପତ୍ନୀ କେସରିଆ ଘରେ ଉପସ୍ଥିତ ନଥିଲେ ।
ସୋସିଆଲ ମିଡିଆରେ ଉଭୟ ଇଂରାଜୀ ଏବଂ ହିବ୍ରୁ ଭାଷାରେ ପୋଷ୍ଟ ହୋଇଥିବା ଭିଡିଓରେ ନେତାନ୍ୟାହୁ କହିଛନ୍ତି, "ଆପଣ ଜାଣନ୍ତି, ଦୁଇ ଦିନ ପୂର୍ବେ ଆମେ ହତ୍ୟାକାରୀ ହାମାସ ନେତା ୟାହିୟା ସିନୱାରଙ୍କୁ ସଫା କରିଛୁ । ମୁଁ ଯେପରି କହିଛି, ଆମେ ଏକ ଯୁଦ୍ଧରେ ଅଛୁ, ଏବଂ ଆମେ ଶେଷ ପର୍ଯ୍ୟନ୍ତ ଜାରି ରଖିଛୁ ।"
ଏହି ଡ୍ରୋନ ଆକ୍ରମଣକୁ ନେଇ ଇସ୍ରାଏଲ ସେନା ଦାବି କରିଛି ଯେ ଲେବାନନ ପଟୁ ଆସିଥିବା ଏହି ଡ୍ରୋନ ଜରିଆରେ ଏକ ବିଲ୍ଡିଂରେ ବିସ୍ଫୋରଣ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଦୁଇ ଡ୍ରୋନକୁ ଏହି ଅଞ୍ଚଳରେ ଇସ୍ରାଏଲ୍ ସେନା ଦ୍ୱାରା ନଷ୍ଟ କରାଯାଇଛି ।